ଖଲ୍ଲିକୋଟ: କବିସୂର୍ଯ୍ୟନଗର ଥାନା କେ. ଖରିଡା ଗ୍ରାମର ଦୀପୁ ପାତ୍ରଙ୍କ ଅପହରଣ ଘଟଣାରେ ନୂଆ ମୋଡ଼। ମିଳିଲା ଦୀପୁଙ୍କ ମୃତଦେହ। ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନାଥାଉକି, ଦୁଇ ଦିନ ତଳେ କୋର୍ଟରୁ ଫେରିବା ସମୟରେ ତାଙ୍କର ଅପହରଣ ହୋଇଥିଲା।
ଆଉ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, କୋଦଳା ଥାନା ସାତ ନଳ ପୋଖରୀ ନିକଟରୁ ଦୀପୁଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଖବର ପାଇ ଘଟଣା ସ୍ଥଳରେ କୋଦଳା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମିନା ।
ଆହୁରି ପଢ଼ନ୍ତୁ: ନିଆଳିରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକେ ଆହତ
ପୂର୍ବରୁ ପରିବାର ଲୋକ, ଦୀପକୁ ଅପହରଣ ନେଇ ଗଞ୍ଜାମ ଏସ୍ପିଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ପୋଲିସ୍ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ତିନି ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଥିଲା। ଦୀପୁ କିଛି ଦିନ ତଳେ ସୁରତରୁ ଫେରିଥିଲା। ହେଲେ ଶୁକ୍ରବାର ଦିନ ଦୀପୁ ଓ ତା’ର ସାଙ୍ଗ କୋଦଳା କୋର୍ଟର ଜଣେ ଓକିଲଙ୍କୁ ଭେଟି ଗାଡ଼ିରେ ଫେରୁଥିବା ବେଳେ ୪ରୁ ୫ ଜଣ ତାକୁ ଉଠେଇନେଇଥିଲେ। ଅପହରଣକାରୀମାନେ ଜେ.ଛଞ୍ଚିନା ଗ୍ରାମର ବୋଲି ଦୀପୁଙ୍କ ମାଆ ଅଭିଯୋଗ କରିଥିଲେ।