ନୂଆଦିଲ୍ଲୀ: ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଗୁରୁବାର ସୁପ୍ରିମ୍ ଶୁଣାଣି ହୋଇଛି । ଆକ୍ଟକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଦାୟର ହୋଇଥିବା ଶହେରୁ ଅଧିକ ଆବେଦନର ଆଜି ଶୁଣାଣି କରିଛନ୍ତି ସୁପ୍ରିମ୍ କୋର୍ଟ । ଦ୍ବିତୀୟ ଦିନ ଶୁଣାଣି ବେଳେ ୱକଫ୍ ବୋର୍ଡ୍ କାଉନସିଲର ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି। ଏହାଛଡ଼ା କୋର୍ଟ ସରକାରଙ୍କୁ ଜବାବ ରଖିବାକୁ ୭ ଦିନ ସମୟ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଓ୍ବାକଫ୍ ଆଇନ ଉପରେ ପ୍ରଶ୍ନ ଉଠାଉଥିବା ସଂଗଠନକୁ କଡ଼ା ଜବାବ ଦେଇଛନ୍ତି ସଂସଦୀୟ ଯୁଗ୍ମ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ । ସେ କହିଛନ୍ତି, ଆଇନରେ ଯଦି କୌଣସି ପ୍ରକାର ତ୍ରୁଟି ବାହାରେ ତେବେ ପଦରୁ ଇସ୍ତଫା ଦେବି ।
ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପଲ୍ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ରାଜନୈତିକ ପାର୍ଟିମାନେ ଭୋଟ୍ ବ୍ୟାଙ୍କ୍ ରାଜନୀତି କରୁଛନ୍ତି । ସେମାନେ ମୁସଲିମ୍ ତୃଷ୍ଟିକରଣ ରାଜନୀତି କରିବା ଉଚିତ୍ ନୁହେଁ । କୌଣସି ରାଜନୈତିକ ପାର୍ଟି ଦ୍ବାରା ସେ ପ୍ରେରିତ ନୁହନ୍ତି ଏବଂ ନିରପେକ୍ଷ ଭାବେ ଓ୍ବାକଫ୍ ସଂଶୋଧନ ବିଲ୍ ଉପରେ କାମ କରିଛନ୍ତି ।
ରାଜନୈତିକ ପାର୍ଟିମାନେ ଭ୍ରମିତ କରୁଛନ୍ତି:
ବିଜେପି ନେତା ଜଗଦମ୍ବିକା ପାଲ୍ କହିଛନ୍ତି, ଓ୍ବାକଫ୍ ସଂଶୋଧନ ବିଲ୍ ଉପରେ ଜେପିସି ୩୮ଟି ବୈଠକ କରିଛି । ତେଣୁ ବିଭିନ୍ନ ସଂଗଠନ ଦ୍ବାରା ଏହା ଉପରେ ଉଠାଇଯାଇଥିବା ପ୍ରଶ୍ନ ବେବୁନିଆଦି । କିଛି ରାଜନୈତିକ ପାର୍ଟିମାନେ ନିଜର ସ୍ବାର୍ଥ ଓ ଭୋଟ୍ ବ୍ୟାଙ୍କ ପାଇଁ ମୁସଲିମ୍ ସମ୍ପ୍ରଦାୟକୁ ଭ୍ରମିତ କରୁଛନ୍ତି ।
ଓ୍ବାକଫ ଆଇନକୁ ନେଇ ସୁପ୍ରିମକୋର୍ଟରେ ଦୁଇ ଦିନ ହେଲା ଶୁଣାଣି ଜାରି ରହିଛି । ଦାୟର ହୋଇଥିବା ଶତାଧିକ ଆବେଦନ ମଧ୍ୟରୁ ‘ଓ୍ବାକଫ୍ ବୋର୍ଡରେ ହିନ୍ଦୁ ବ୍ୟକ୍ତି ସାମିଲ’ କରିବା ନେଇ ପ୍ରଶ୍ନ ଉଠାଇଥିଲେ ଅଦାଲତ । ଓ୍ବାକଫ୍ ବୋର୍ଡରେ ହିନ୍ଦୁ ବ୍ୟକ୍ତିଙ୍କୁ କିପରି ସାମିଲ କଲେ ଏବଂ ହିନ୍ଦୁ ବୋର୍ଡରେ ମୁସଲିମଙ୍କୁ ଏଣ୍ଟ୍ରି ମିଳିବ କି ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ ।
ସେପଟେ ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କ କହିଛନ୍ତି, ଓ୍ବାକଫ୍ ବୋର୍ଡରେ ଅଣମୁସଲିମ୍ ରହିବା ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ନିଷ୍ପତ୍ତି ନିଆଯାଇଛି । ଓ୍ବାକଫ୍ ବୋର୍ଡ ଏକ ଆଇନ ସଂସ୍ଥା ଅଟେ । ଏହା ଏକ ଧର୍ମିକ ସଂସ୍ଥା ନୁହେଁ । ତେଣୁ ଓ୍ବାକଫ୍ ବୋର୍ଡରେ ଅଣମୁସଲିମଙ୍କୁ ସାମିଲ୍ କରାଯାଇଛି । ଆଜି ସର୍ବୋଚ୍ଚ ଅଦାଲତରେ ଆବେଦନର ଶୁଣାଣି ବେଳେ ସାମ୍ବିଧାନିକ ଖଣ୍ଡପୀଠ ଓ୍ବାକଫ୍ ସଂଶୋଧନ ଆଇନ ଉପରେ ସାତ ଦିନିଆ ରୋକ୍ ପାଇଁ ଅନ୍ତରୀଣ ଆଦେଶ ଜାରି କରିଛନ୍ତି । ଏହି ସମୟରେ ବୋର୍ଡରେ ନୂଆ ନିଯୁକ୍ତି ହେବ ନାହିଁ ଏବଂ ସମ୍ପତ୍ତିକୁ ଡିନୋଟିଫାଏ କରିପାରିବେ ନାହିଁ ।...