Champions trophy: ପ୍ରଥମ ମ୍ୟାଚରେ ପାକିସ୍ତାନର ଲଜ୍ଜାଜନ ପରାଜୟ, ବିଜୟରୁ ନ୍ୟୁଜିଲାଣ୍ଡର ଅଭିଯାନ ଆରମ୍ଭ

Published By : Prameya-News7 Bureau | February 19, 2025 IST

କରାଚି: ପ୍ରଥମ ମ୍ୟାଚ୍‌ରୁ ଝୁଣ୍ଟିଲା ପାକିସ୍ତାନ। ଭୋଗିଲା ଲଜ୍ଜାଜନକ ପରାଜୟ। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଉଦଘାଟନୀ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନକୁ ୬୦ ରନରେ ହରାଇଛି। ଏହିପରି କିଓ୍ଵି ଦଳ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଆଉ ପାକିସ୍ତାନ ପ୍ରଶଂସକଙ୍କୁ ଦଳର ପରାଜୟରେ ନିରାଶ ହେବାକୁ ପଡ଼ିଛି। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଟମ୍ ଲାଥମଙ୍କ ଅପରାଜିତ ୧୧୮ ରନ, ଓ୍ଵିଲ ୟଙ୍ଗଙ୍କ ୧୦୭ ରନର ଶତକୀୟ ଇନିଂସ ଓ ଗ୍ଲେନ ଫିଲିପ୍ସଙ୍କ ବିସ୍ଫୋରକ ୬୧ ରନ ବଳରେ ୫ ଓ୍ଵିକେଟ୍ ହରାଇ ୩୨୦ ରନ କରିଥିଲା। ଜବାବରେ ପାକିସ୍ତାନ ୪୭.୨ ଓଭରରେ ୨୬୦ ରନରେ ଅଲଆଉଟ୍ ହୋଇଛି। ଖୁଶଦିଲ୍ ଶାହ ୬୯ ରନ ଓ ବାବର ଆଜମ ୬୪ ରନର ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ  ହେଁ ଦଳ ପାଇଁ ତାହା ପର୍ଯ୍ୟାପ୍ତ ନ ଥିଲା। ଅନ୍ୟ ବ୍ୟାଟରଙ୍କ ନିରାଶଜନକ ପ୍ରଦର୍ଶନ ଯୋଗୁଁ ପାକିସ୍ତାନ ପରାଜୟରୁ ଅଭିଯାନ ଆରମ୍ଭ କରିଛି। 

Also read: ଭାରତର ବିରୋଧର ପ୍ରଭାବ ! ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭୁଲ୍ ସୁଧାରିଲା ପାକିସ୍ତାନ

୩୨୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ନିରଶଜନକ ଥିଲା। ୮ ରନ ସ୍କୋରରେ ସାଉଦ ସକିଲ(୬)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଅଧିନାୟକ ମହମ୍ମଦ ରିଜଓ୍ଵାନ(୩ ରନ) ଆଉଟ୍ ହେବା ବହୁତ ବଡ଼ ଝଟକା ଲାଗିଥିଲା। ଫକର ଜମାନ କ୍ରିଜରେ ଜମି ଆସୁଥିଲେ ହେଁ ୨୪ ରନ କରି ପାଭିଲିୟନ ଫେରିଥିଲେ। ୬୯ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡ଼ିଥିଲା ପାକିସ୍ତାନ। ଏହା ପରେ ବାବର ଆଜମ ଓ ସଲମାନ ଆଘା ୫୮ ରନ  ଯୋଡ଼ି ଦଳର ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ।

ବିସ୍ଫୋରକ ବ୍ୟାଟିଂ କରୁଥିବା ସଲମାନ ଆଘା ଆଉଟ୍ ହେବା ଦଳକୁ ବଡ଼ ଝଟକା ଦେଇଥିଲା। ଆଘା ୨୮ ବଲ୍‌ରୁ ୬ ଚୌକା ଓ ୧ ଛକା ସହ ୪୨ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ପାକିସ୍ତାନ ପୁଣି ଥରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ବାବର ଆଜମ ୯୦ ବଲ୍‌ରୁ ୬୪ ରନର ଇନିଂସ କେଳିଥିଲେ ହେଁ ସଠିକ୍ ସମୟରେ ଆଉଟ୍ ହୋଇଥିଲେ। ନିମ୍ନକ୍ରମରେ ଖୁଶଦିଲ ଶାହ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ କ୍ରିଜରେ ଥିବା ପର୍ଯ୍ୟନ୍ତ ପାକିସ୍ତାନ ବିଜୟ ଆଶା କିଛି ମାତ୍ରାରେ ଉଜ୍ଜିବୀତ ଥିଲା। କିନ୍ତୁ ତାଙ୍କ ଆଉଟ୍ ସହ ପାକିସ୍ତାନର ପରାଜୟ ସୁନିଶ୍ଚିତ ହୋଇ ଯାଇଥିଲା। ଆଘା ୪୯ ବଲ୍‌ରୁ ୧୦ ଚୌକା ଓ ୧ ଛକା ସହ ୬୯ ରନ କରି ଆଉଟ୍ ହୋଇଥିଲେ। ନସୀମ ଶାହ(୧୩ ରନ), ଶାହୀନ ଆଫ୍ରିଦି(୧୪) ଓ ହାରିସ ରଉଫ(୧୯)ରନ କରିଥିଲେ। ଶେଷରେ ପାକିସ୍ତାନ ୪୭.୨ ଓଭରରେ ୨୬୦ ରନରେ ଅଲଆଉଟ୍ ହୋଇଥିଲା।

ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ଵିଲିୟମ ଓରୁରକି ୯ ଓଭରରେ ୪୭ ରନ ଦେଇ ୩ଟି ସଫଳତା ହାସଲ କରିଥିଲେ। ମିଚେଲ୍ ସାଣ୍ଟରନ ୧୦ ଓଭରରେ ୬୬ ରନ ବ୍ୟୟ କରି ୩ ଓ ମାଟ ହେନରି ଘାତକ ବୋଲିଂ କରି ୨୫ ରନ ଦେଇ ୨ଟି ଓ୍ଵିକେଟ୍  ନେଇଛନ୍ତି। 

ନ୍ୟୁଜିଲାଣ୍ଡ ଇନିଂସ

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ଓ୍ଵିଲ ୟଙ୍ଗ  ଓ ଡେଭନ କନଓ୍ଵେ ପ୍ରଥମ ଓ୍ଵିକେଟ୍‌ ପାଇଁ ୩୯ ରନ ଯୋଡ଼ିଥିଲେ। କନଓ୍ଵେ(୧୦ ରନ) ପାଭିଲିୟନ ଫେରିଥିଲେ। ପୁଣି ଦଳର ନିର୍ଭରଯୋଗ୍ୟ ବ୍ୟାଟର କେନ୍ ଓ୍ଵିଲିୟମସନ(୧ ରନ) କରି ଆଉଟ୍ ହେବା ନ୍ୟୁଜିଲାଣ୍ଡକୁ ବଡ଼ ଝଟକା ଲାଗିଥିଲା। ଡାରିଲ ମିଚେଲ୍(୧୦ ରନ) ମଧ୍ୟ କିଛି ଖାସ୍ କରି ପାରି ନ ଥିଲେ। ୭୩ ରନରେ ୩ ଓ୍ଵିକେଟ୍ ହରାଇ ଅଡ଼ୁଆ ସ୍ଥିତିରେ ଥିବା ନ୍ୟୁଜିଲାଣ୍ଡର ଇନିଂସ ସମ୍ଭାଳିଥିଲେ ଓପନର ଓ୍ଵିଲ ୟଙ୍ଗ ଓ ଟମ ଲାଥମ। ଦୁଇ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ଦ୍ରୁତ ବ୍ୟାଟିଂ କରିଥିଲେ। ୟଙ୍ଗ   ଲଢୁଆ ଶତକୀୟ ଇନିଂସ ଖେଳି ୧୧୩ ବଲରୁ ୧୨ ଚୌକା ଓ ୧ ଛକା ସହ ୧୦୭ ରନ କରିଥିଲେ। 

ଏହା ପରେ ଟମ୍ ଲାଥମ ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଗ୍ଲେନ ଫିଲିପ୍ସ ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ। ଅର୍ଦ୍ଧଶତକ ହାସଲ ପରେ ଲାଥମ ଦ୍ରୁତ ବ୍ୟାଟିଂ କରିଥିଲେ। ଏହି କ୍ରମରେ ସେ ନିଜର ଦିନିକିଆ କ୍ୟାରିୟରରେ ଅଷ୍ଟମ ଶତକ ପୂରା କରିଥିଲେ। ଅନ୍ୟପଟେ ଗ୍ଲେନ ଫିଲିପ୍ସ ଧୂଆଁଧାର ବ୍ୟାଟିଂ କରି ୩୯ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ୬୧ ରନର ଇନିଂସ ଖେଳିଥିଲେ। ଫିଲିପ୍ସ ଆଉଟ୍ ହେବା ପୂର୍ବରୁ ଲାଥମଙ୍କ ସହ ପଞ୍ଚମ ଓ୍ଵିକେଟ୍‌ରେ ୧୨୫ ରନର ଭାଗିଦାରୀ ଯୋଡ଼ିଥିଲେ। ଟମ୍ ଲାଥମ ୧୦୪ ବଲ୍‌ରୁ ୧୦ ଚୌକା ୧ ୩ ଛକା ସହ ୧୧୮ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଶେଷରେ ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍ ହରାଇ ୩୨୦ ରନ କରିଛି।

ବୋଲିଂରେ ନସୀମ ଶାହ ୧୦ ଓଭରରେ ୬୩ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେଇଛନ୍ତି। ହାରିସ ରଉପଙ୍କୁ ଦୁଇଟି ସଫଳତା ମିଳିଥିଲେ ହେଁ ସେ ୧୦ ଓଭରରେ ୮୩ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଅବରାର ଅହମ୍ମଦଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.