ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ବଡ଼ ନିଷ୍ପତ୍ତି, ସ୍ଥଗିତ ହେଲା ଶିକ୍ଷକ ଆନ୍ଦୋଳନ

Published By : Prameya-News7 Bureau | September 18, 2023 IST

ଭୁବନେଶ୍ଵର: ବିଭିନ୍ନ ଦାବି ନେଇ ପାଖାପାଖି ଏକ ସପ୍ତାହ ଧରି କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଥିବା  ପ୍ରାଥମିକ ଶିକ୍ଷକ ନିଜର ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନ ସ୍ଥଗିତ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର ସୋମବାର ସୂଚନା ଦେଇଛନ୍ତି। ଆନ୍ଦୋଳନ ଜାରି ରହିଥିବାରୁ ସମଗ୍ର ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଠପ୍ ହୋଇ ଯାଇଥିଲା। ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରହିଛି। ଆସନ୍ତାକାଲି ଶିକ୍ଷକ-ଶିକ୍ଷୟତ୍ରୀମାନେ ସ୍କୁଲରେ ଯୋଗ ଦେବେ ବୋଲି ଜଣା ଯାଇଛି।

wp:heading {"level":4}

ଏ ଖବର ପଢନ୍ତୁ- ଛାତ୍ର ସଂସଦ ନିର୍ବାଚନ କରାଇବା ଦାବିରେ ହାଇକୋର୍ଟରେ ମାମଲା ଦାୟର

/wp:heading

ସୂଚନାଯୋଗ୍ୟ, ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ରରେ ଆଡଭାନ୍ସମେଣ୍ଟ ପଲିସି ଲାଗୁ, ଜୁନିୟର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କ ଏକ୍ସ-କ୍ୟାଡର ହଟରାଇବା ପରି ଦାବି ନେଇ ଗତ ବୁଧବାରଠୁ ରାଜ୍ୟର ପାଖାପାଖି ଏକ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟତ୍ରୀ ସମୂହରେ ଛୁଟିରେ ଯାଇ  ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଠପ୍ ପଡ଼ିଥିଲା। ପାଖାପାଖି ୩୦ ଲକ୍ଷରୁ ଉର୍ଦ୍ଧ୍ଵ ପିଲାଙ୍କ ପାଠପଢା ପ୍ରଭାବିତ ହୋଇଥିଲା। ଦାବି ପୂରଣ କରିବା ଏବଂ ପାଠପଢା ସ୍ଵାଭାବିକ ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ଦାବି ପୂରଣ ନ ହେବା ଯାଏ ମୁଣ୍ଡ ନୁଆଁଇବୁ ନାହିଁ। ରାଜରାସ୍ତାରେ ବସିବୁ, ସ୍କୁଲ ଫେରିବୁ ନାହିଁ କି ପିଲାଙ୍କ କ୍ଲାସ୍ ନେବୁ ନାହିଁ। ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ରାଜ୍ୟ ସରକାରଙ୍କୁ ଆହ୍ଵାନ ଦେଇଥିଲେ। ଶିକ୍ଷା ବିଭାଗ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବିଦ୍ୟାଳୟରେ ୨୨୦ ଦିନ ପାଠପଢା ଯେମିତି ହେଲେ କରାଯାଉ ବୋଲି ଡିଇଓ ଏବଂ ବିଇଓଙ୍କୁ ଚିଠି ଲେଖିଥିଲେ। ତେବେ ଏସବୁ ମଧ୍ୟରେ ସୋମବାର ଶିକ୍ଷକ ଆନ୍ଦୋଳନ ସ୍ଥଗିତ ଘୋଷଣା କରିଛି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.