ନୀଳାଚଳ ଅବଢ଼ା ପାଇ କୃତାର୍ଥ ଅର୍ଜନ କଲେ ଭକ୍ତ, ସେପଟେ ତିନିରଥ ଫିଟାଇବା କାର୍ଯ୍ୟ ଆରମ୍ଭ

Published By : Prameya-News7 Bureau | July 20, 2024 IST

ପୁରୀ ୨୦: ନୀଳାଦ୍ରି ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ । ମହାପ୍ରଭୁ ଏବେ ରତ୍ନବେଦୀରେ ଆଶ୍ୱିନ ହୋଇଥିବା ବେଳେ ପୁଣି ଥରେ ଦୈନନ୍ଦିନ ନୀତିକାନ୍ତି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି । ନୀଳାଦ୍ରି ବିଜେରେ ଶ୍ରୀମନ୍ଦିର ଫେରିଥିବା ମହାପ୍ରଭୁଙ୍କର ଆରମ୍ଭ ହୋଇଯାଇଛି ପୁଣି ଲୀଳାଖେଳା । ଶୁକ୍ରବାର ମହାପ୍ରଭୁଙ୍କ ପହଣ୍ତି ଶେଷ ହେବା ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠସୁଆଁସିଆ ମାନେ ପଶି ଚାରମାଳ ଖୋଲିବା ପରେ ସକାଳୁ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଗୋପାଳବଲ୍ଲଭ ଭୋଗ ପରେ ସକାଳ ଧୂପ ହୋଇଥିଲା । ପର ପରେ ବାହାରିଥିଲା ନୀଳାଚଳ ଅବଢା। ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ମହାପ୍ରସାଦ ବାହାରିଥିବାରୁ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି । 

ଦୀର୍ଘ ଏକ ମାସ ପରେ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର । ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ସହ ପ୍ରଥମ ନୀଳାଚଳ ଅବଢା ପାଇଛନ୍ତି । ସେପଟେ ଘୋଷଯାତ୍ରା ଶେଷ ପରେ ଆଜିଠାରୁ ରଥ ଫିଟାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଭୋଇ ସେବାୟତମାନେ ତିନି ରଥରେ ଥିବା ପାର୍ଶ୍ବ ଦେବାଦେବୀ, ଘୋଡା, ସାରଥୀ ଗୁଡିକୁ ଖୋଲିଥିଲେ। ରଥର ଏହି ଅଂଶ ଗୁଡିକ ପ୍ରତ୍ୟେକ ବର୍ଷ ନିର୍ମାଣ ହେଉ ନଥିବାରୁ ଏଗୁଡିକୁ ସୁରକ୍ଷିତ ଭାବେ ଗୁଣ୍ତିଚା ଘର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଏ । ରଥର ଅନ୍ୟ ମୁଖ୍ୟ ଅଂଶ ଗୁଡିକ ପ୍ରଶାସନର ନିର୍ଦ୍ଦେଶ ଆସିବା ପରେ ଖୋଲାଯିବ। 

ଶ୍ରୀମନ୍ଦିରରେ ଭକ୍ତ ମାନେ ନିଜ ପରିବାର ଓ ବନ୍ଧୁ ମାନଙ୍କ ସହ ରତ୍ନ ସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିବା ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ‌ କରି ବେଶ୍ ଆନନ୍ଦିତ ହୋଇଛନ୍ତି ।

You Can Read:

ରାଜସ୍ବ ମନ୍ତ୍ରୀ କହିଲେ ଶଙ୍ଖ ଭବନର ହେବ ତଦନ୍ତ, ବିଜେଡି କହିଲା ଆଇନ ଆଧାରରେ ସବୁକିଛି କରାଯାଇଛି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.