ରାଜସ୍ବ ମନ୍ତ୍ରୀ କହିଲେ ଶଙ୍ଖ ଭବନର ହେବ ତଦନ୍ତ, ବିଜେଡି କହିଲା ଆଇନ ଆଧାରରେ ସବୁକିଛି କରାଯାଇଛି

Published By : Prameya-News7 Bureau | July 20, 2024 IST

ଭୁବନେଶ୍ବର ୨୦: ଭୁବନେଶ୍ବରରେ ବିଜୁ ଜନତା ଦଳର ପାର୍ଟି ଅଫିସ୍ ‘ଶଙ୍ଖ ଭବନ’ ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବିଜେଡି ସରକାର ଯାହା ଚାହୁଁଥିଲେ ତାହା କରୁଥିଲେ । ଅଫିସର ମାନଙ୍କ ରାଜ୍ ଚାଲିଥିଲା । ତେଣୁ ଯାହା ଭୁଲ ହୋଇଛି ସବୁ ଜାଣି ଜାଣି କରାଯାଇଛି । ଓଡିଶାକୁ ଜାଣିଶୁଣି କ୍ଷତିରେ ପକାଇଛି ବିଜେଡି ସରକାର । ସେମାନେ ଆଗାମୀ ଦିନରେ ଦଣ୍ଡ ପାଇବେ ସେଥିରେ ସନ୍ଦେହ ନାହିଁ । ପୂର୍ବ ସରକାର ଯେଉଁ ଯେଉଁ ଭୁଲ କରିଛନ୍ତି ଆଉ ଯେଉଁଥି ପାଇଁ ଓଡିଶା ଅପମାନିତ ହୋଇଛି, କ୍ଷତି ସହିଛି, ରାଜ୍ୟର ଗରିବ ଲୋକ ତାର ରାଜସ୍ୱ ହରେଇଛି, ସେସବୁକୁ ନେଇ ଆମ ସରକାର ତଦନ୍ତ କରିବ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । 

ଶଙ୍ଖ ଭବନ ସମ୍ପର୍କରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି କହିଛି ଶଙ୍ଖ ଭବନ ପ୍ରସଙ୍ଗରେ ବିଭ୍ରାନ୍ତ କରାଯାଉଛି । ଆଇନ ଆଧାରରେ ସବୁକିଛି କରାଯାଇଛି । ବେଞ୍ଚମାର୍କ ଭ୍ୟାଲ୍ୟୁ ପୈଠ ହୋଇଛି । ଶଙ୍ଖ ଭବନ ଜମି ଆଲୋକେଶନ ବେଞ୍ଚମାର୍କ ଭ୍ୟାଲ୍ୟୁ ଆଇନ ଆଧାରିତ ।‌ ଗଙ୍ଗନଗର ବେଞ୍ଚମାର୍କ ଭ୍ୟାଲ୍ୟୁ ପାଖାପାଖି ୧୩ କୋଟି ଟଙ୍କା ପୈଠ ହୋଇଛି । ଲ୍ୟାଣ୍ଡମାର୍କ କମିଟି ୧୧ଟି ବିଭାଗର ରିପୋର୍ଟ ଆଧାରରେ ଅନୁମୋଦିତ ହୋଇଛି । ଗୋଟିଏ ଦିନରେ  କମିଟି ବସି ବିଜେଡି ଏବଂ ବିଜେପିକୁ ପାର୍ଟି ଅଫିସ ପାଇଁ ଜାଗା ଆବଣ୍ଟିତ ହୋଇଥିଲା । ଯେଉଁ ରାସ୍ତାକୁ ନେଇ ଅଭିଯୋଗ ଆଣୁଛନ୍ତି ଏହା ରାସ୍ତା ନୁହେଁ ଉପଗଳି ବୋଲି ରେକର୍ଡରେ ରହିଛି । ରେସିଡେନସିଆଲ ଉଦ୍ଦେଶ୍ୟରେ ଦିଆଯାଇଛି । ଖାରବେଳନଗରର ବେଞ୍ଚମାର୍କ ଭ୍ୟାଲ୍ୟୁ ଅନୁସାରେ ବିଜେପିକୁ ନୋଟିସ ହୋଇଛି । ମନ୍ତ୍ରୀଙ୍କୁ ଠିକ୍ ଭାବେ ଅବଗତ କରାଯାଇନାହିଁ । ଏହା ବିଜେପିର ଅସହିଷ୍ଣୁତା । ବିଜେପି ଗୋଟିଏ ଗୁଜବ ସୃଷ୍ଟିକାରୀ ପାର୍ଟି । ତାଙ୍କ ସରକାର ବି ଗୁଜବ ସୃଷ୍ଟି କରୁଛନ୍ତି । ଜଣେ ରାଜସ୍ବ ମନ୍ତ୍ରୀ କିଭଳି ଏତେ ଶସ୍ତା ମନ୍ତବ୍ୟ ଦେଉଛନ୍ତି ? ବିଜେପି ଦେଇଥିବା ପ୍ରତିଶୃତି ଭୁଲି ଭିତ୍ତିହୀନ ଖସଡ଼ା ପ୍ରସ୍ତୁତ କରୁଛନ୍ତି । ରାଜସ୍ବ ମନ୍ତ୍ରୀ ଟିକେ ପଢ଼ାପଢ଼ି କରି ଆସନ୍ତୁ ବୋଲି ପ୍ରେସମିଟ୍‌ରେ ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର ଓ ଲେନିନ୍ ମହାନ୍ତି କହିଛନ୍ତି ।

You Can Read:

ମଦ ଦୋକାନ ସଟର ତାଡି ଲୁଟ୍, ମଦ ପେଟି ଭର୍ତ୍ତି ପିକଅପ୍ ଭ୍ୟାନ୍ ସହ ୩ ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.