ନୂଆଦିଲ୍ଲୀ ୦୭।୦୨: କୁଶଳୀ ନୁହନ୍ତି ଆଇଟିଆଇ ଛାତ୍ର । ଉଦ୍ଦେଶ୍ୟ ପୂରା କରିବାରେ ଫେଲ୍ ପିଲା । ପାସ୍ ଛାତ୍ରଛାତ୍ରୀ ଚାକିରି ପାଇଁ ଅନ୍ଫିଟ୍ । ଶିକ୍ଷା ସୂଚକାଙ୍କରେ ଆସୁନି ବୈଷୟିକ ଶିକ୍ଷା ଅନୁଷ୍ଠାନ । ଏ କଥା ଆମେ କହୁ ନାହୁଁ, ନୀତି ଆୟୋଗ ଷ୍ଟଡି ରିପୋର୍ଟରେ ପ୍ରକାଶ ପାଇଛି । ଆଉ ରିପୋର୍ଟକୁ ନେଇ ସବୁଠି ହଇଚଇ । ସାରା ଦେଶରେ ଥିବା ଉଦ୍ୟୋଗିକ ପ୍ରଶିକ୍ଷଣ ସଂସ୍ଥାକୁ ନେଇ ବିସ୍ଫୋରକ ତଥ୍ୟ ଦେଇଛି ନୀତି ଆୟୋଗ । ଆଇଟିଆଇ ପାସ୍ ଛାତ୍ରଛାତ୍ରୀ ଚାକିରି ପାଇଁ ସମ୍ପୂର୍ଣ୍ଣ ଅନ୍ଫିଟ୍ ବୋଲି କହିଛି ନ୍ୟାସନାଲ ଇଷ୍ଟିଚ୍ୟୁସନ ଫର୍ ଟ୍ରାନ୍ସଫରମିଂ ଇଣ୍ଡିଆ ।
ବ୍ୟାବସାୟୀକ ପ୍ରଶିକ୍ଷଣରେ ଆଇଟିଆଇ ହେଉଛି ମେରୁଦଣ୍ଡ । ଉଦ୍ୟୋଗିକ ଶିକ୍ଷା ପାଇଁ ପ୍ରତିବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ହେଲେ ଏଠାରୁ ଉତ୍ତୀର୍ଣ୍ଣ ପିଲା ନିଜ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହେଉଛନ୍ତି । ପ୍ରଶିକ୍ଷଣର ଗୁଣବତା, ଶୈକ୍ଷିକ ବାତାବରଣ ଏବଂ ସୁବିଧା ସୁଯୋଗ ବୈଷୟିକ ମାନଦଣ୍ଡର ଅନୁରୂପ ନୁହେଁ ବୋଲି ଟ୍ରାନ୍ସଫରମିଂ ଇଣ୍ଡୁଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ସ ଶୀର୍ଷକ ଦ୍ବାରା ଜାରି ରିପୋର୍ଟରେ ନୀତି ଆୟୋଗ କରିଛି ସ୍ପଷ୍ଟ ।
ଆଇଟିଆଇ କରୁଥିବା ଛାତ୍ରାଛାତ୍ରୀ ନା ରୋଜଗାର ପାଇଁ ଯୋଗ୍ୟ ନା ସମ୍ପୂର୍ଣ୍ଣ କୁଶଳୀ । ଅନେକ ସମୟରେ ପ୍ରଶିକ୍ଷଣ ସଂସ୍ଥାର ପୁନରୁଦ୍ଧାର ପାଇଁ ପ୍ରୟାସ କରାଯାଇଛି । ଉକୃଷ୍ଟ ଶିକ୍ଷା କେନ୍ଦ୍ର, ଅଧିକ ଅନୁଦାନ, ଗ୍ରେଡିଂ ସିଷ୍ଟମ ଏବଂ ଆଇଏମସିକୁ ବାଧ୍ୟତା କରାଯାଇଛି, ହେଲେ ଏହା ପରେ ବି ଆଇଟିଆଇ ଶୈକ୍ଷିକ ମାନଦଣ୍ଡ ଛୁଇଁବାରେ ବିଫଳ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଦେଶରେ ବର୍ତ୍ତମାନ ୧୪ ହଜାର ୭୮୯ ଉଦ୍ୟୋଗିକ ଶିକ୍ଷା ଅନୁଷ୍ଠାନ ରହିଛି । ଏଥିରେ ଏହାର ନାମଲେଖା କ୍ଷମତା ୨୫ଲକ୍ଷ ରହିଥିଲେ ମଧ୍ୟ ମାତ୍ର ସାଢେ ୧୦ଲକ୍ଷ ସିଟ୍ ପୂରଣ ହେଉଛି । ନିଯୁକ୍ତି ନିରାଶାଜନକ ରହିଥିବାରୁ ଶିକ୍ଷା ପ୍ରତି ମୁହଁ ଫେରାଉଛନ୍ତି ଛତ୍ରାଛତ୍ରୀ ।
ତେବେ ଆଇଟିଆଇକୁ ପୁଣି ଥରେ ଟ୍ରାକ୍କୁ ଆଣିବାକୁ ଯଥା ସମ୍ଭବ ଉଦ୍ୟମ ଚଳାଇଛି ନୀତି ଆୟୋଗ। ସ୍କିଲ୍ ଡେଭଲପ୍ମେଣ୍ଟ ଆଣ୍ଡ୍ ଏମ୍ପ୍ଲୋୟମେଣ୍ଟ ଭର୍ଟିକାଲ ଦ୍ବାରା ଅଧ୍ୟୟନ କରାଯାଇଛି । ଦେଶରେ ୭୮.୪୦ ପ୍ରତିଶତ ଆଇଟିଆଇ ଶିକ୍ଷାକେନ୍ଦ୍ର ସାଧାରଣ ଲୋକଙ୍କ ଦ୍ବାରା ହେଉଛି ପରିଚାଳିତ । ମାତ୍ର ୨୧.୫୯ ପ୍ରତିଶତ ସରକାରୀ ଶିକ୍ଷାନୁଷ୍ଠାନ ରହିଛି । ବ୍ୟବସାୟୀକ ଶିକ୍ଷାକୁ ସୁଦୃଢ କରିବାକୁ ସ୍ବତନ୍ତ୍ର ବୋର୍ଡ ବ୍ୟବସ୍ଥା, କେନ୍ଦ୍ରୀୟ ଢାଞ୍ଚାରେ ପାଠପଢ଼ା, ଦାବି ଆଧାରରେ ସିଲାବସ୍ ଆବଣ୍ଟନ, ଗ୍ରେଡିଂ ପ୍ରକ୍ରିୟାରେ ପରିବର୍ତ୍ତନ, ଉକୃଷ୍ଟ ଟ୍ରେନିଂ ଓ ମହିଳାଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ସୁପାରିସ୍ କରାଯାଇଛି ।