'ରୁଷ ସେନାରେ ଫସିଥିବା ଭାରତୀୟଙ୍କୁ ଶୀଘ୍ର ମୁକ୍ତ କର', ଜଣେ ନାଗରିକଙ୍କ ମୃତ୍ୟୁ ପରେ ବିଦେଶ ମନ୍ତ୍ରଣାଳୟର ଦାବି

Published By : Prameya-News7 Bureau | January 14, 2025 IST

ନୂଆଦିଲ୍ଲୀ: ରୁଷ ସେନାରେ ସୈନିକ ଭାବେ ସେବା ପ୍ରଦାନ କରୁଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ଛାଡ଼ିବା ପାଇଁ ମଙ୍ଗଳବାର ଭାରତ ଦାବି କରିଛି । ୟୁକ୍ରେନ ସହ ସଂଘର୍ଷରେ ନିକଟରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ ଏହି ଦାବିକୁ ଉଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୦ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଜଣେ ଭାରତୀୟ ନାଗରିକ ବିନିଲ ବାବୁ (୩୧) ଯୁଦ୍ଧରେ ପ୍ରାଣ ହରାଇଥିଲେ । ସେ ତ୍ରିଶୂର ଜିଲ୍ଲାର କୁଟ୍ଟନେଲୁରର ବାସିନ୍ଦା ଥିଲେ । ଏହି ରାଜ୍ୟର ଅନ୍ୟ ଜଣେ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଆହତ ନାଗରିକ ଜଣକ ମସ୍କୋର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମନ୍ତ୍ରଣାଳୟ ମୃତକଙ୍କ ବାବଦରେ ବିସ୍ତୃତ ସୂଚନା ଦେଇ ନାହିଁ ।

ଭାରତ ସରକାର ରୁଷର ସେନାରେ ସହାୟକ ଷ୍ଟାଫ୍, ଯେପରି କି ରୋଷେୟା ଏବଂ ସହାୟକ ଭାବେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କୁ ଛାଡ଼ିବା ପାଇଁ ପୂର୍ବରୁ ବି ଦାବି କରିଥିଲା । ଗତ ବର୍ଶ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗକୁ ଉଠାଇଥିଲେ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି, 'ଆମେ ଜଣେ ଭାରତୀୟ ନାଗରିକଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ଖବର ପାଇଛୁ, ଯାହାଙ୍କୁ କଥିତ ରୂପେ ରୁଷ ସେନାରେ ଭର୍ତ୍ତି କରାଯାଇଥିଲା । ଅନ୍ୟଜଣେ ନାଗରିକ ଆହତ ହୋଇଛନ୍ତି । ମସ୍କୋ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ଏହି ପ୍ରସଙ୍ଗକୁ ମସ୍କୋରେ ରୁଷ ଅଧିକାରୀ ଏବଂ ନୂଆଦିଲ୍ଲୀରେ ରୁଷ ଦୂତାବାସ ସାମନାରେ ଗୁରୁତ୍ୱର ସହ ଉଠାଯାଇଛି ।' ଜୈସ୍ୱାଲ କହିଛନ୍ତି ଯେ ମୃତକଙ୍କ ପାର୍ଥିବ ଶରୀରକୁ ଭାରତ ଆଣିବା ପ୍ରକ୍ରିୟା ଜାରି ରହିଛି ଏବଂ ଆହତ ବ୍ୟକ୍ତିଙ୍କୁ ବି ଶୀଘ୍ର ସ୍ୱଦେଶ ଫେରାଇବା ପାଇଁ ରୁଷକୁ ନିବେଦନ କରାଯାଇଛି ।

ଭାରତ ଏହା ମଧ୍ୟ ଦାବି କରିଛି ଯେ ଅନେକ ଭାରତୀୟ ନାଗରିକଙ୍କୁ ଭୁଲ ମାର୍ଗରେ ଏବଂ ଭୁଲ ପ୍ରକ୍ରିୟାରେ ଏଜେଣ୍ଟ ଦ୍ୱାରା ରୁଷ ସେନାରେ ସାମିଲ କରାଯାଇଛି । ଏହି ଘଟଣାରେ ଗତ ବର୍ଷ ସିବିଆଇ ୧୯ ବ୍ୟକ୍ତି ଏବଂ ଏଜେନ୍ସି ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା । ରୁଷ ଦୂତାବାସ ଗତ ବର୍ଷ ସୂଚନା ଦେଇ କହିଥିଲା ଯେ ଭାରତୀୟ ନାଗରିକଙ୍କ ଭର୍ତ୍ତି ୨୦୨୪ ଏପ୍ରିଲ ପରଠୁ ବନ୍ଦ କରାଯାଇଛି । ଏହାସହ ବର୍ତ୍ତମାନରେ ଯେଉଁମାନେ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ଛାଡ଼ିବା ପାଇଁ ପ୍ରକ୍ରିୟା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.