ଉତ୍ତରପ୍ରଦେଶ୧୦/୧: ଆସନ୍ତା ୧୩ରେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି ମହାକୁମ୍ଭ ମେଳା । ଏଥିରେ ସାମିଲ ହେବାକୁ ଦେଶର କୋଣ ଅନୁକୋଣରୁ ସାଧୁ ସନ୍ଥ ଆସି ପହଞ୍ଚିଲେଣି । ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ମହାକୁମ୍ଭ ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଅନେକ ବାବା । ସେମାନଙ୍କ ମଧ୍ୟରୁ ବେଶୀ ଚର୍ଚ୍ଚିତ ମୌନୀ ବାବା । ଯିଏକି ୪୧ ବର୍ଷ ଧରି ପାଟିରୁ ପଦେ କଥା ବାହାର କରିନାହାନ୍ତି । ବିନା ଖାଦ୍ୟରେ କେବଳ ଚା ପିଇ ବଞ୍ଚିଛନ୍ତି । ବାବା ବୁଲେଟ ବି ଚଲାନ୍ତି ।
ବୁନ୍ଦେଲଖଣ୍ଡର ମହୋବା ନିବାସୀ ପାୟାହରୀ ମୌନୀ ବାବା । ୪୧ ବର୍ଷ ଧରି ସେ କଥା କହିନାହାନ୍ତି । ୪୦ ବର୍ଷ ହେଲାଣି ପେଟକୁ ଦାନା ନେଇନାହାନ୍ତି । ତାଙ୍କର ଏକମାତ୍ର ଖାଦ୍ୟ ହେଉଛି କ୍ଷୀର ଚା । ନିରବତା ପାଳନ କରିବା ସହ ଅନ୍ନଜଳ ତ୍ୟାଗ କରିଛନ୍ତି । ଚା ଛଡା ସେ ଅନ୍ୟ କୌଣସି ପାନୀୟ ପିଅନ୍ତି ନାହିଁ ସେ । ଗୋଟିଏ ଦିନରେ କେବଳ ପିଅନ୍ତି ୧୦ କପ୍ ଚା । ଚା ତାଙ୍କର ସବୁଠୁ ପ୍ରିୟ ଖାଦ୍ୟ । ତାଙ୍କ ପାଖକୁ ଯିଏ ଶ୍ରଦ୍ଧାରେ ଆସନ୍ତି ସେ ଚା ପରିବେଷଣ କରିଥାନ୍ତି ।
ମୌନ ମହାରାଜଙ୍କ ପ୍ରକୃତ ନାଁ ଦୀନେଶ ସ୍ବରୂପ ବ୍ରହ୍ମଚାରୀ । ସେ ଏକ ଶିକ୍ଷକ ପରିବାରରେ ତାଙ୍କର ଜନ୍ମ । ସେ ବିଏସ୍ସି ପାଠ ପଢିଛନ୍ତି । ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ଶିକ୍ଷା ବିଭାଗରେ ନିଯୁକ୍ତି ମିଳିଥିଲା । ହେଲେ ସାଂସାରିକ ଜୀବନରେ ରହିବାକୁ ତାଙ୍କର ଇଚ୍ଛା ନଥିଲା । ସେ ଚାକିରି ନ କରି ବାବା ହେବାକୁ ମନ ବଳାଇ ଥିଲେ । ସେ ଜନସେବା କରିବା ସହ ମାଗଣାରେ ପିଲାଙ୍କୁ ପାଠ ପଢାନ୍ତି । ସେମାନଙ୍କ ପାଇଁ ନୋଟ୍ ମଧ୍ୟ ପ୍ରସ୍ତୁତ କରନ୍ତି । ବାବାଙ୍କ କହିବା କଥା ପ୍ରତିବର୍ଷ ତାଙ୍କର ୨ରୁ ୩ ଜଣ ଛାତ୍ର ସିଭିଲ ସର୍ଭିସରେ ମନୋନୀତ ହୁଅନ୍ତି
ସଙ୍ଗମ ତଟର ଏକ ତମ୍ବୁରେ ରହୁଥିବା ବାବାଙ୍କର ଆଉ ଗୋଟିଏ ବିଶେଷତ୍ବ ହେଉଛି ସେ ଦ୍ରୁତ ବେଗରେ ବୁଲେଟ୍ ଚଲାଇ ପାରନ୍ତି । ଆପଣ ଜାଣିଲେ ଚକିତ ହେବେ ମାତ୍ର ୪୫ ମିନିଟରେ ସେ ପ୍ରତାପଗଡରୁ ପ୍ରୟାଗରାଜରେ ପହଞ୍ଚିଛନ୍ତି । କୌଣସି ବିଷୟରେ କେହି ଯଦି ତାଙ୍କୁ ପ୍ରଶ୍ନ କରେ ସେ ଲିଖିତ ଉତ୍ତର ଦିଅନ୍ତି । ତେବେ ତାଙ୍କ ପଢା ମାଧ୍ୟମରେ ଅନେକ ଛାତ୍ର ସିଭିଲ ସର୍ଭିସ ଓ ଷ୍ଟେଟ ପିସିଏସରେ ସଫଳତା ପାଇଛନ୍ତି । ତେବେ ସାଧୁଙ୍କ ଅପେକ୍ଷା ତାଙ୍କ ତମ୍ବୁରେ ଦେଖିବାକୁ ମିଳେ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ । ବାବା ସବୁ ପିଲାଙ୍କୁ ହ୍ବାଟସ ଆପ୍ ମାଧ୍ୟମରେ ଶିକ୍ଷା ଦିଅନ୍ତି । ପିଲାମାନଙ୍କୁ ଶିକ୍ଷା ଦେବା ତାଙ୍କ ଜୀବନର ବଡ ଲକ୍ଷ୍ୟ ବୋଲି ସେ କୁହନ୍ତି ।
ମୌନ ରହିବାର ଫାଇଦା ବିଷୟରେ ବାବା କୁହନ୍ତି ନୀରବ ରହିବା ଦ୍ବାରା ଶକ୍ତି ଜମା ହୁଏ ଓ ଏହି ଶକ୍ତି ବିଶ୍ବ କଲ୍ୟାଣ ପାଇଁ ବ୍ୟବହୃତ ହୁଏ । ସେ ଧର୍ମ କର୍ମ ମର୍ମ ସାଗର ନାମରେ ଏକ ପୁସ୍ତକ ଲେଖିଛନ୍ତି । ଏହି ବହିରେ ଜନ୍ମରୁ ମୃତ୍ୟୁ ଯାଏ ଶୋଇବାରୁ ଉଠିବା ଯାଏ ପ୍ରତି କାର୍ଯ୍ୟ ପାଇଁ ଶାସ୍ତ୍ରୀୟ ନିୟମ ରହିଛି । ବାବାଙ୍କର ଏହି ବହି ଫେବୃଆରୀ ସୁଦ୍ଧା ପବ୍ଲିସ ହେବ । ଆପଣ ବି ଯେତେବେଳେ ମୌନି ବାବାଙ୍କୁ ଭେଟିବେ ସେତେବେଳେ ଅନୁଭବ କରିପାରିବେ କେବଳ ଚା’ରେ ବଞ୍ଚିଥିବା ବାବାଙ୍କ ପାଖରେ କିପରି ଶକ୍ତି ଅଛି । ଯିଏ କି ନିରବ ରହି ସବୁକାମ ଆରାମରେ କରିପାରୁଛନ୍ତି ।
ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିର ଏକ ମହାପର୍ବ କୁମ୍ଭମେଳା । ପ୍ରତି ୧୨ ବର୍ଷରେ ଥରେ ଏହି ମେଳା ଆୟୋଜନ କରାଯାଇଥାଏ ।