ମଥୁରା୧୪।୧: ବୃନ୍ଦାବନ ପର୍ଯ୍ୟଟକ ସୁବିଧା କେନ୍ଦ୍ରରେ ଛିଡା ହୋଇଥିବା ଏକ ତୀର୍ଥଯାତ୍ରୀ ବସ୍ ରେ ମଙ୍ଗଳବାର ନିଆଁ ଲାଗିଯାଇଛି। ଫଳରେ ବସ୍ ରେ ଥିବା ଜଣେ ଯାତ୍ରୀ ପୋଡି ହୋଇ ପ୍ରାଣ ହରାଇଛନ୍ତି। ଫାୟାର ସେଫ୍ଟି ସିଷ୍ଟମ ଦ୍ୱାରା ବସ୍ ରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି। ତେବେ ନିଆଁ ଲିଭାଯିବା ବେଳକୁ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ବସ୍ ରୁ ମୃତ ଯାତ୍ରୀଙ୍କ ଦରପୋଡା ଶବ ମିଳିଛି। ମୃତ ଯାତ୍ରୀଙ୍କ ବୟସ ପାଖାପାଖି ୬୦ ହେବ ବୋଲି କୁହାଯାଇଛି।
ତେଲେଙ୍ଗାନାର ଶ୍ରଦ୍ଧାଳୁ ମହାକୁମ୍ଭରେ ସ୍ନାନ କରି ବସ୍ରେ ଫେରୁଥିଲେ। କୁହାଯାଉଛି ବୃନ୍ଦାବନରେ ଛିଡା ହୋଇଥିବା ବସରେ ସିଗାରେଟ ଜଳାଇବା ଯୋଗୁ ଏପରି ଅଗ୍ନିକାଣ଼୍ଡ ହୋଇଛି। ଯାତ୍ରୀଙ୍କ ଖାଦ୍ୟ ରୋଷେଇ ନିମନ୍ତେ ବସ୍ରେ ଗ୍ୟାସ୍ ସିଲିଣ୍ଡର ଥିଲା। ଫଳରେ ନିଆଁ ବିକରାଳ ରୂପ ଧାରଣ କରିଥିଲା। ତେଲେଙ୍ଗାନରୁ ୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ବସ୍ ମହାକୁମ୍ଭ ସ୍ନାନକୁ ଆସିଥିଲା। ବସ୍ ରେ ବସିଥିବା ୬୦ ବର୍ଷ ବୟଷ୍କ ଶ୍ରଦ୍ଧାଳୁ ଦ୍ରୁପଦ ପୋଡି ହୋଇ ପ୍ରାଣ ହରାଇଛନ୍ତି।
ଏହି ଘଟଣା ସେତେବେଳେ ଜଣାପଡିଥିଲା ଯେତେବେଳେ ଅଗ୍ନିସମ କର୍ମଚାରୀମାନେ ବସ୍ର ନିଆଁ ଲିଭାଇ ଭିତରର ପରିସ୍ଥିତି ଅନୁଧ୍ୟାନ କରୁଥିଲେ। ବସ ପଛ ସିଟ୍ରେ ଜଣେ ଯାତ୍ରୀଙ୍କ କଙ୍କାଳ ଦେଖିବାକୁ ମିଳିଥିଲା। ବସ୍ ନିକଟରେ ଯାତ୍ରୀଙ୍କ ନିମନ୍ତେ ଭୋଜନ ପ୍ରସ୍ତୁତ କରୁଥିବା ବସ୍ ମାଲିକ ଭଗବାନ କହିଛନ୍ତି ଯେ ବୟଷ୍କ ଶ୍ରଦ୍ଧାଳୁ ଜଣକ ଅସୁସ୍ଥ ଥିଲେ, ଏଣୁ ଅନ୍ୟ ଯାତ୍ରୀଙ୍କ ସହ ମନ୍ଦିର ଦର୍ଶନକୁ ଯାଇ ନଥିଲେ ଓ ବସ୍ ପଛ ସିଟରେ ବସି ବିଡି ଟାଣୁଥିଲେ। ଏହି ସମୟରେ ବସ୍ ରେ ନିଆଁ ଲାଗିବା ଯୋଗୁ ସେ ବାହାରକୁ ବାହାରି ପାରି ନଥିଲେ।