ନୂଆଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟି-୨୦ ମ୍ୟାଚ୍ରେ ନୀତିଶ ରେଡ୍ଡୀ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୯ ଓ୍ଵିକେଟ୍ ହରାଇ ୨୨୧ ରନ କରିଛି। ସିରିଜ୍ ବରାବର ପାଇଁ ବାଂଲାଦେଶ ସମ୍ମୁଖରେ ୨୨୨ରନର ବିଜୟ ଲକ୍ଷ୍ୟ ରହିଛି। ନୀତିଶ ରେଡ୍ଡୀ ଟି-୨୦ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ସହ ୩୪ ବଲ୍ରୁ ୭୪ ରନ ଓ ରିଙ୍କୁ ସିଂହ ୫୩ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୩୨ ରନ କରିଛନ୍ତି। ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା। ଓପନର ସଞ୍ଜୁ ସାମସନ(୧୦) ଓ ଅଭିଷେକ ଶର୍ମା(୧୫)ରନ କରି ଆଉଟ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୮) ଆଜି ବିଫଳ ହୋଇଛନ୍ତି। ୪୧ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଦଳର ରନ ଗତି ଧିମେଇ ଯାଇଥିଲା। ତେବେ ମଧ୍ୟକ୍ରମରେ ନୀତିଶ ରେଡ୍ଡୀ ଓ ରିଙ୍କୁ ସିଂ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ବାଂଲା ବୋଲରଙ୍କୁ ନିର୍ଧୁମ ପ୍ରହାର କରି ୧୦୮ ରନର ଶତକୀୟ ଇନିଂସ ଯୋଡ଼ିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ।
ନୀତିଶ ୩୪ ବଲ୍ରୁ ୪ ଚୌକା ଓ ୭ ଛକା ଜରିଆରେ ୭୪ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଏହା ପରେ ରିଙ୍କୁ ସିଂ ୨୯ ବଲ୍ରୁ ୫ ଚୌକା ଓ ୩ ଛକା ସହ ୫୩ ରନ କରିଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍ରୁ ୩୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ତେବେ ଭାରତ ଶେଷ ଆଡ଼କୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଲକ୍ଷ୍ୟରେ ଶେଷ ୨ ଓଭରରେ ୪ ଓ୍ଵିକେଟ୍ ହରାଇଥିଲା। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୨୧ ରନର ବିଶାଳ ସ୍କୋର କରିଛି।
ବୋଲିଂରେ ବାଂଲାଦେଶର ରିଶାଦ ହୋସେନ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ତସକିନ ଅହମ୍ମଦ, ତଞ୍ଜିମ ହସନ ଶାକିବ ଏବଂ ମୁସ୍ତାଫିଜୁର ରେହମାନ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।