‘ବୈବାହିକ ଦୁଷ୍କର୍ମର ଅପରାଧୀକରଣ କରାଯିବାର ଆବଶ୍ୟକତା ନାହିଁ’, ସୁପ୍ରିମକୋର୍ଟରେ ସରକାରଙ୍କ ସତ୍ୟପାଠ

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁବାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ଯଦି ସ୍ୱାମୀ ଦ୍ୱାରା ନିଜ ପତ୍ନୀ ସହ ଯୌନ ସମ୍ପର୍କ ସ୍ଥାପନକୁ ଦୁଷ୍କର୍ମ ରୂପେ ଦଣ୍ଡନୀୟ ଘୋଷଣା କରାଯାଏ, ତେବେ ଦାମ୍ପତ୍ୟ ଜୀବନ ଉପରେ ଏହାର ବଡ଼ କୁପ୍ରଭାବ ପଡ଼ିପାରେ । କେନ୍ଦ୍ର ସରକାର ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବା ଲାଗି ଦାଖଲ କରାଯାଇଥିବା ଆବେଦନକୁ ବିରୋଧ କରି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ ସରକାର କହିଛନ୍ତି ଯେ ବୈବାହିକ ଦୁଷ୍କର୍ମ ସହ ଜଡ଼ିତ ମାମଲାର ଦେଶରେ ଦୂରଗାମୀ ସାମାଜିକ ଏବଂ ଆଇନଗତ ପ୍ରଭାବ ରହିବ । ତେଣୁ ଏହି ପ୍ରସଙ୍ଗକୁ କେବଳ ଆଇନ ଦୃଷ୍ଟିରୁ ଦେଖିବା ପରିବର୍ତ୍ତେ ଏକ ବ୍ୟାପକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ବୈବାହିକ ଦୁଷ୍କର୍ମ କେବଳ ଆଇନ ନୁହେଁ ବରଂ ଏକ ସାମାଜିକ ମୁଦ୍ଦା ଅଟେ । କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ବ୍ୟାପକ ପରାମର୍ଶର ଆବଶ୍ୟକତା ରହିଛି । ବର୍ତ୍ତମାନର ଆଇନରେ ମହିଳାଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରାବଧାନ ରହିଛି । ବିବାହ ପାରସ୍ପାରିକ ଦାୟିତ୍ୱର ଏକ ସଂସ୍ଥା ଅଟେ । ସରକାର କହିଛନ୍ତି ଯେ ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏଥିପାଇଁ ଅନ୍ୟ ଦଣ୍ଡାତ୍ମକ ଉପାୟ ପୂର୍ବରୁ ଉପଲବ୍ଧ ରହିଛି । କେନ୍ଦ୍ର ସରକାର ନିଜ ସତ୍ୟପାଠରେ ଏହା ମଧ୍ୟ କହିଛନ୍ତି ଯେ ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବା ସୁପ୍ରିମକୋର୍ଟଙ୍କ ଅଧିକାର କ୍ଷେତ୍ରରେ ନାହିଁ ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯୁକ୍ତି ରଖିଛନ୍ତି ଯେ ବିବାହରେ ଦୁଷ୍କର୍ମ ପାଇଁ କଠୋର ଦଣ୍ଡ ପ୍ରାବଧାନ ଲାଗୁ କରିବା ଦ୍ୱାରା ବିବାହ ନାମକ ସଂସ୍ଥା ଉପରେ ଗଭୀର ସାମାଜିକ ଏବଂ ଆଇନଗତ ପ୍ରଭାବ ପଡ଼ିପାରେ । ତେବେ ସରକାର ସ୍ୱୀକାର କରିଛନ୍ତି ଯେ ସ୍ୱାମୀ ପାଖରେ ନିଜ ସ୍ତ୍ରୀଙ୍କ ସହମତିର ଉଲ୍ଲଂଘନ କରିବାର କୌଣସି ମୌଳିକ ଅଧିକାର ନାହିଁ । ଏହାସହ ସରକାର ଏହା ମଧ୍ୟ କହିଛନ୍ତି ଯେ ଯଦି ଅଜଣା ବ୍ୟକ୍ତି ସହ ଜଡ଼ିତ ଦୁଷ୍କର୍ମର ଦଣ୍ଡନୀୟ ପ୍ରାବଧାନ ଏବଂ ଆଇନକୁ ସ୍ୱାମୀ ବିରୋଧରେ ଲାଗୁ କରାଯାଏ ତେବେ ଏହି ଆଇନ ପ୍ରୟୋଗ ବୈବାହିକ ଏବଂ ସାମାଜିକ ଢାଞ୍ଚାକୁ ବରବାଦ କରିଦେବ ।

ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୫ର ବ୍ୟତିକ୍ରମ ୨ର ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିବା ଯାଚିକାର ଜବାବରେ ସରକାର ଏହି ସତ୍ୟପାଠ ଦାଖଲ କରିଛନ୍ତି । ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୫ର ଏକ ବିଶେଷ ନିୟମ ବ୍ୟତିକ୍ରମ-୨ ଅନୁସାରେ, ଯଦି ପତ୍ନୀ ନାବାଳିକା ନୁହେଁ, ତେବେ ସ୍ୱାମୀ ଦ୍ୱାରା ଯୌନ ସମ୍ପର୍କକୁ ଦୁଷ୍କର୍ମ ଧରାଯିବ ନାହିଁ । ନୂଆ ଆଇନରେ ବି ଧାରା ୬୩ର ବ୍ୟତିକ୍ରମରେ ଏହା ସ୍ପଷ୍ଟ କରାଯାଇଛି ଯେ ସ୍ତ୍ରୀ ସହ ସ୍ୱାମୀର ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ । ସରକାର ସତ୍ୟପାଠରେ କହିଛନ୍ତି ଯେ ଯଦି ଏହି ବ୍ୟତିକ୍ରମକୁ ଅସାମ୍ୱିଧାନିକ କହି ରଦ୍ଦ କରାଯାଏ, ତେବେ ବିବାହ ସଂସ୍ଥା (ବୈବାହିକ ସମ୍ପର୍କ) ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.