NRC ନାହିଁ, ତ ଆଧାର କାର୍ଡ ବି ନାହିଁ; ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | September 07, 2024 IST

ନୂଆଦିଲ୍ଲୀ: ଆସାମରେ ଏଣିକି ଆଧାର କାର୍ଡ ପାଇଁ ସମସ୍ତ ଆବେଦନକାରୀଙ୍କୁ ନିଜର ଏନଆରସି ଆବେଦନ ରସିଦ ସଂଖ୍ୟା (ଏଆରଏନ) ଜମା କରିବାକୁ ହେବ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ଏହା କହିଛନ୍ତି । ସେ କହିଛନ୍ତି ଯେ ଏଥିପାଇଁ ଏକ ଏସଓପି ପ୍ରସ୍ତୁତ କରାଯିବ ଏବଂ ଅକ୍ଟୋବର ୧ରୁ ଲାଗୁ କରାଯିବ । ସେ କହିଛନ୍ତି ଯେ ଏହାଦ୍ୱାରା ବେଆଇନ ଅନୁପ୍ରବେଶକୁ ରୋକା ଯାଇପାରିବ ଏବଂ ରାଜ୍ୟ ସରକାର ଆଧାର କାର୍ଡ ଜାରି କରିବା ପାଇଁ କୋଠର ଆଭିମୁଖ୍ୟ ଗ୍ରହଣ କରିବେ ।

ସିଏମ୍ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, 'ଆଧାର କାର୍ଡ ପାଇଁ ଆବେଦନ ସଂଖ୍ୟା ଜନସଂଖ୍ୟାଠୁ ଅଧିକ...ଏହା ଦର୍ଶାଉଛି ଯେ ସନ୍ଦିଗ୍ଧ ନାଗରିକ ଅଛନ୍ତି ଏବଂ ଆମେ ନିଷ୍ପତ୍ତି ନେଇଛୁ ଯେ ନୂଆ ଆବେଦନକାରୀଙ୍କୁ ନିଜ ଏନଆରସି ଆବେଦନ ରସିଦ ସଂଖ୍ୟା ଜମା କରିବାକୁ ପଡ଼ିବ ।' ସେ କହିଛନ୍ତି ଯେ ଆସାମରେ ଆଧାର କାର୍ଡ କରିବା ସହଜ ହେବ ନାହିଁ ଏବଂ ଆଶା କରାଯାଉଛି ଯେ ଅନ୍ୟ ରାଜ୍ୟରେ ବି ଆଧାର କାର୍ଡ କରିବାରେ କୋଠର ନିୟମ ଆଣିବେ ।

ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଏନ୍‌ଆରସି ଆବେଦନ ରସିଦ ଜମା କରିବା ସେହି ୯.୫୫ ଲକ୍ଷ ଲୋକଙ୍କ ଉପରେ ଲାଗୁ ହେବ ନାହିଁ, ଯେଉଁମାନଙ୍କ ବାୟମୋଟ୍ରିକ୍ସ ଏନଆରସି ପ୍ରକ୍ରିୟା ବେଳେ ନିଆଯାଇଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଚା' ବଗିଚା କ୍ଷେତ୍ରରେ ମଧ୍ୟ ଲାଗୁ ହେବ ନାହିଁ, କାରଣ ପର୍ଯ୍ୟାପ୍ତ ବାୟୋମେଟ୍ରିକ୍ ମେସିନ ନଥିବା କାରଣରୁ ଅନେକ ଲୋକ ନିଜର ଆଧାର କାର୍ଡ କରିପାରି ନାହାନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.