କଟକ: ବାରବାଟୀ ବିଭ୍ରାଟକୁ ନେଇ OCAର ପୂର୍ବ ପ୍ରସ୍ତୁତି ଉପରେ ଉଠିଛି ପ୍ରଶ୍ନ । ଫ୍ଲଡ୍ ଲାଇଟ୍ ପରିଚାଳନା ପାଇଁ ଥିବା ପରିଚାଳନା କମିଟି ଏବଂ OCAକୁ ସମାନ ଭାବେ ଦାୟୀ କରିଛନ୍ତି OCAର ପୂର୍ବତନ କୋଷାଧ୍ୟକ୍ଷ । ସେହିଭଳି ଇଣ୍ଟରନ୍ୟାସନାଲ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍ ବିଭ୍ରାଟ ସହ ପାସ୍ କେଳେଙ୍କାରୀକୁ ନେଇ OCA ସମ୍ପାଦକ ସଞ୍ଜୟ ବେହେରାଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ।
ବିଭ୍ରାଟ ଯୋଗୁଁ ବିଶ୍ବ ଦରବାରରେ ନିନ୍ଦିତ ହେଲା ବାରବାଟୀ । ଏଥି ପାଇଁ ଦାୟୀ କିଏ ? ପ୍ରସଙ୍ଗକୁ ନେଇ ଲମ୍ବିବାରେ ଲାଗିଛି ଅସନ୍ତୋଷ ଓ ଅଭିଯୋଗର ପର୍ଦ୍ଦ । ଇଣ୍ଟରନ୍ୟାସନାଲ ମ୍ୟାଚ୍ ସମୟରେ ହଠାତ୍ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ବଡ଼ କଥା ନୁହେଁ, ବଡ଼ କଥା ହେଉଛି, ପୁଣି ଫ୍ଲଡ୍ ଲାଇଟ୍ ଜଳିବାରେ ୨୦ମିନିଟ୍ ବିଳମ୍ବ ହେବା । ଅନ୍ତର୍ଜାତୀୟ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍ ଯୋଗୁଁ ୨୦ ମିନିଟ୍ ଖେଳ ଅଟକିବାକୁ ନେଇ ବିଶ୍ବ ଦରବାରରେ ନିନ୍ଦିତ ହୋଇଛି ବାରବାଟୀ, ନିନ୍ଦିତ ହୋଇଛି ଓଡ଼ିଶା । କୋଟି କୋଟି କ୍ରୀଡ଼ାପ୍ରେମୀଙ୍କୁ ଏହି ଅବ୍ୟବସ୍ଥା ଆଘାତ ଦେଇଛି । ଦେଶବ୍ୟାପୀ ଓଡ଼ିଶା କ୍ରିକେଟ୍ ଆସୋସିଏସନ OCA ଏବଂ BCCI ସମାଲୋଚନାର ଶିକାର ହୋଇଛନ୍ତି ।
ଫ୍ଲଡ୍ ଲାଇଟ୍ ପରିଚାଳନା ପାଇଁ ଥିବା ପରିଚାଳନା କମିଟି, ଫ୍ଲଡ୍ ଲାଇଟ୍ କମିଟି ଏବଂ OCAକୁ ସମାନ ଭାବେ ଦାୟୀ କରିଛନ୍ତି OCAର ପୂର୍ବତନ କୋଷାଧ୍ୟକ୍ଷ । ତାଙ୍କର କହିବା କଥା ପୂର୍ବରୁ ଅନେକ ଷ୍ଟାଡିୟମରେ ଲାଇଟ୍ କଟେ କିନ୍ତୁ ୨ମିନିଟ୍ ଭିତରେ ଠିକ୍ ହୋଇଯାଏ। ହେଲେ ଗୋଟେ ଇଣ୍ଟରନ୍ୟାସନାଲ ମ୍ୟାଚରେ ପାଖାପାଖି ଅଧଘଣ୍ଟା ଖେଳ ବନ୍ଦ ହୋଇଯିବା ଘଟଣା ପ୍ରଥମ ଥର ପାଇଁ ଘଟିଲା । ସେହିଭଳି ବାରବାଟୀ ବିଭ୍ରାଟ ଯୋଗୁଁ ସାରା ବିଶ୍ବରେ କଟକର ଛବି ଖରାପ ହୋଇଛି ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ।
Also read: କ'ଣ ୟୁବିଙ୍କ ପରି ହେବ ରୋହିତ କ୍ୟାରିୟର ? ବାରବାଟୀ ଶତକ ପରେ ଲାଗିଯିବ କି ଫର୍ମରେ ଫୁଲଷ୍ଟପ !
ସେପଟେ ବାରବାଟୀ ବିଭ୍ରାଟକୁ ନେଇ OCA ସମ୍ପାଦକ ସଞ୍ଜୟ ବେହେରାଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ଟାଙ୍ଗୀ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ପ୍ରକାଶ କହିଛନ୍ତି OCA ର ଏଭଳି ଖାମଖିଆଲି ପ୍ରସ୍ତୁତି ପାଇଁ ସାରା ଦେଶ ଓ ବିଦେଶରେ ଓଡ଼ିଶାର ସମ୍ମାନ ହାନୀ ହୋଇଛି । ଏମିତିକି ପାକିସ୍ତାନ ଭଳି ଦେଶ ଆମ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ସାହସ ପାଇଲା । କେବଳ ଫ୍ଲଡ୍ ଲାଇଟ୍ ବିଭ୍ରାଟ ନୁହେଁ, ବାରବାଟୀ ଓ୍ବାନ୍ ଡେ' ପାଇଁ ଟିକେଟ୍ ପାସ୍ କେଳେଙ୍କାରୀରେ ମଧ୍ୟ OCA କର୍ତ୍ତୃପକ୍ଷଙ୍କ ସିଧାସଳଖ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରିଛନ୍ତି ପ୍ରକାଶ ବେହେରା ।
ଏମିତିକି ବାରବାଟୀ ମ୍ୟାଚ୍ ପାଇଁ ଲଗାଯାଇଥିବା ବିଜ୍ଞାପନ ହୋର୍ଡିଂ, ଷ୍ଟାଡିୟମ ଭିତରେ ଖାଦ୍ୟ ବିକ୍ରି ପାଇଁ ଭେଣ୍ଡର ଚୟନ ପ୍ରକ୍ରିୟା ସବୁ ଥିରେ OCA କର୍ତ୍ତୃପକ୍ଷ ବ୍ୟାପକ ଅନୀୟମିତତା କରିଥିବା ସେ କହିଛନ୍ତି । ଦୀର୍ଘ ବର୍ଷ ଧରି ଗୋଟିଏ ପରିବାର OCAକୁ ନିଜ କବଜା ରଖିବା ଏସବୁର ପ୍ରମୁଖ କାରଣ ବୋଲି କହିଛନ୍ତି ପ୍ରକାଶ । ତେଣୁ OCA କାଉନସିଲକୁ ତୁରନ୍ତ ଭାଙ୍ଗି ଆଉ ଥରେ ନିର୍ବାଚନ କରିବାକୁ ଦାବି କରିଛନ୍ତି ପ୍ରକାଶ ବେହେରା ।
Also read: କ୍ରିକେଟ କମେଣ୍ଟ୍ରିକୁ ଆହୁରି କରାଯାଉ ଉନ୍ନତ, ସଂସଦରେ ସ୍ୱର ଉଠାଇଲେ TMC ସାଂସଦ
୧୯୫୮ ମସିହାରେ ସ୍ଥାପିତ ବାରବାଟୀ ଷ୍ଟାଡିୟମ ହେଉଛି ଭାରତର ଅନ୍ୟତମ ଅଧିକ ସିଟ୍ ସଂଖ୍ୟା ବିଶିଷ୍ଟ ଷ୍ଟାଡିୟମ । ୧୯୮୨ରେ ପ୍ରଥମ କରି ଏଠାରେ ଓ୍ବାନ ଡେ’ ମ୍ୟାଚ ଖେଳା ଯାଇଥିଲା । ୨୦୦୩ରେ ୪କୋଟି ଟଙ୍କା ଖର୍ଚ୍ଚରେ ଷ୍ଟାଡିୟମରେ ଲାଗିଥିଲା ଫ୍ଲଡ୍ ଲାଇଟ୍ । ୨୦୦୩ ମସିହାରେ ପ୍ରଥମ ଡେ’ ଆଣ୍ଡ ନାଇଟ୍ ମ୍ୟାଚ୍ ଖେଳା ଯାଇଥିଲା । ୨୦୨୨ରେ ଫ୍ଲଡ୍ ଲାଇଟ୍ରେ ହାଲୋଜେନ୍ ଲାଇଟ୍ ବଦଳରେ ଲଗାଯାଇଥିଲା LED ଲାଇଟ୍ । ଏଥି ପାଇଁ ଖର୍ଚ୍ଚ ହୋଇଥିଲା ୧୨କୋଟି ଟଙ୍କା । ଷ୍ଟାଡିୟମରେ ଲାଗିଥିବା ମୋଟ ୮ଟି ଫ୍ଲଡ୍ ଲାଇଟ୍ ପାଇଁ ୮ଟି ଜେନେରେଟର ରହିଥିବା ବେଳେ ବ୍ୟାକ୍ଅପ୍ ଦେବାକୁ ଅତିରିକ୍ତ ୪ଟି ଜେନେରେଟର ବ୍ୟବସ୍ଥା କରାଯାଇଥିଲା । ଏସବୁ ପରେ ବି ସମନ୍ବୟ ଓ ପରିଚାଳନାଗତ ତ୍ରୁଟି ପାଇଁ ଗତ ୯ତାରିଖ ଦିନ ଇଣ୍ଡିଆ-ଇଲଂଣ୍ଡ ମ୍ୟାଚ୍ରେ ବିଭ୍ରାଟକୁ ନେଇ ଲମ୍ବିବାରେ ଲାଗିଛି ଅସନ୍ତୋଷ ଓ ଅଭିଯୋଗର ଫର୍ଦ୍ଦ ।