କଟକ: ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚର ଟିକେଟ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ସେ କହିଛନ୍ତି ବାରବାଟୀ ଟିକେଟ ଦାମ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି। ଷ୍ଟାଡିୟମର ରକ୍ଷଣାବେକ୍ଷଣ, ସାଜସଜ୍ଜା, ଅନ୍ୟ ଖର୍ଚ୍ଚ ବଢ଼ିଛି। ତେଣୁ ସବୁ କଥାକୁ ବିଚାର କରି ଟିକେଟ ଦାମ ସ୍ଥିର ହୋଇଛି।
ସୂଚନାଥାଉକି, ରବିବାର ଓସିଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକରେ ମ୍ୟାଚ୍ ପାଇଁ ଟିକେଟ୍ ଦର ନିର୍ଦ୍ଧାରିତ କରାଯାଇଥିଲା। ଯେଉଁଥିରେ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମର ଗ୍ୟାଲେରୀ- ୧, ୩ ଏବଂ ୬ର ଟିକେଟ ଦାମ- ୧୨୦୦ ଟଙ୍କା ରଖାଯାଇଛି। ୨, ୪ ନଂ ଗ୍ୟାଲେରୀର ଦାମ- ୧୦୦୦ ଟଙ୍କା, ୫ ନମ୍ବର ଗ୍ୟାଲେରୀ ଦାମ-୧୫୦୦ ଟଙ୍କା, ସ୍ପେଶାଲ ଏନକ୍ଲୋଜର ଦାମ-୭୦୦୦, ଏସି ଗ୍ୟାଲେରୀ ବକ୍ସ-୯୦୦୦ ଓ କର୍ପୋରେଟ ବକ୍ସ ଦାମ-୨୦,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ଟିକେଟ ମୂଲ୍ୟ ପୂର୍ବ ତୁଳନାରେ ଅଧିକ ରହିଥିବାରୁ ଅନେକ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ।