ଭୁବନେଶ୍ୱର ୨୫।୦୩ : ବିଧାନସଭା ବଜେଟ୍ ଅଧିବେଶନ । ଆଜି ବି ଗୃହ ଅଚଳ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ପକ୍ଷରୁ ହୋହାଲ୍ଲା ଏବଂ ନାରାବାଜି । ଯାହାଫଳରେ ବାଚସ୍ପତି ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ମଙ୍ଗଳବାର ବିଧାନସଭା ବଜେଟ୍ ଅଧିବେଶନର କାର୍ଯ୍ୟ ଦିବସ ଆରମ୍ଭ ହେବା ମାତ୍ରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ହଟ୍ଟଗୋଳ । କଂଗ୍ରେସ ସଦସ୍ୟ ନାରୀ ନିର୍ଯାତନା ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ଜାରି ରଖିଥିବା ବେଳେ ବିଜେଡି ସଂରକ୍ଷଣ ଦାବିରେ ହଟ୍ଟଗୋଳ ଜାରି ରଖିଛି । ଏହିକ୍ରମରେ ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ମଧ୍ୟଭାଗକୁ ଆସି ଗିନି, ଘଣ୍ଟ ଏବଂ ବଇଂଶୀ ବଜାଇ ପ୍ରତିବାଦ କରିଥିଲେ । ଯାହାଫଳରେ ବାଚସ୍ପତି ପ୍ରଶ୍ନକାଳ ଚଳାଇବା ବିରୋଧୀ ବିଧାୟକମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ ବିରୋଧୀ ସଦସ୍ୟ ବାଚସ୍ପତିଙ୍କର କୌଣସି କଥା ଶୁଣିନଥିଲେ । ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ । ଶେଷରେ ବାଚସ୍ପତି ବାଧ୍ୟ ହୋଇ ବିଧାନସଭାକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଅନ୍ୟପଟେ ବିଧାନସଭା ମୁଲତବୀ ପରେ କଂଗ୍ରେସ ପକ୍ଷରୁ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଉଥିବା ବେଳେ ବାହାରେ ବିଜେଡି ପକ୍ଷରୁ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।