ଭୁବନେଶ୍ୱର୨୧/୦୯: ଜଳବାୟୁ ପରିବର୍ତ୍ତନର ହଟ୍ସ୍ପଟ୍ ପାଲଟିଛି ଓଡ଼ିଶା । ଏଥିପାଇଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ, ବାତ୍ୟା, ବର୍ଷା ଅଭାବ ସହ ବେଳେବେଳେ ଅତ୍ୟଧିକ ବର୍ଷାର ବିପତ୍ତିକୁ ସାମ୍ନା କରିବାକୁ ପଡ଼ୁଛି । ପାଣିପାଗର ଏଭଳି ଚରମ ରୂପ ସ୍ୱାସ୍ଥ୍ୟ ଓ କୃଷିକୁ ଗୁରୁତର ଭାବେ ପ୍ରଭାବିତ କରୁଛି ।
ପାଗରେ ଅଚାନକ ପରିବର୍ତ୍ତନ ଯୋଗୁ ବୃଦ୍ଧ, ଶିଶୁ ଏବଂ ରୋଗାକ୍ରାନ୍ତ ଲୋକଙ୍କ ଶରୀର ତାହାକୁ ସହିପାରୁନି । ଅନିୟମିତ ବର୍ଷା ଯୋଗୁ ଫସଲ ପରିଚାଳନା ଯୋଜନା ବିଗିଡ଼ିଯାଉଛି । ବୁଣାବୁଣିରୁ ଅମଳ ପର୍ଯ୍ୟନ୍ତ, ସବୁର ସମୟ ଏପାଖସେପାଖ ହେଉଛି। ବିଶେଷଜ୍ଞ ଚେତାଇ ଦେଇଛନ୍ତି, ପାଣିପାଗର ଏ ବିଚିତ୍ର ଧାରା ଆଗକୁ ଆହୁରି ବଢ଼ିବ । ବର୍ଷା ହେବ, ହେଲେ ମାଟି ବତୁରିବ ନାହିଁ । ଏପଟେ ବନ୍ୟା ହେଲେ, ସେପଟେ ମରୁଡ଼ି ପଡ଼ିବ । ବର୍ଷା ସଙ୍କଟରୁ ଶୁଖିଯିବ ଜଳ ଉତ୍ସ ।
ଖସିଯିବ ଭୂତଳ ଜଳ ସ୍ତର । ଆଗକୁ ତୀବ୍ର ହେବ ପାନୀୟ ଜଳ ସଙ୍କଟ । ଏସବୁର ସିଧା ପ୍ରଭାବ ପଡ଼ିବ ମଣିଷର ସ୍ୱାସ୍ଥ୍ୟ ଉପରେ । ହଠାତ୍ ଅସୁସ୍ଥତା ଗ୍ରାସିଯିବ ଜନଜୀବନକୁ । ରକ୍ତଚାପ, ହୃଦରୋଗ ରୋଗ ଆଶଙ୍କା ବଢ଼ିବ ।କବିର କବିତା ପାଇଁ ଖୋରାକ ଯୋଗାଇବାକୁ ଆଉ ଝରୁନାହିଁ ଝଡ଼ି ବର୍ଷା । ଏବେ ବର୍ଷା ଅଜାଡ଼ି ଦେଉଛି, ପୁଣି ଟାଇଁଟାଇ ଖରା । ଲମ୍ବା ଅବଧି ବର୍ଷା ଦେଖିବାକୁ ମିଳୁନି । ମୌସୁମୀର ଅଧିକାଂଶ ଦିନ ଏତେ ତତଲା ରହୁଛି ଯେ, ଜାଣି ହେଉନି ଏଇଟା ବର୍ଷା ନା ଗ୍ରୀଷ୍ମ... ।
ବିଚିତ୍ର ରୂପ ନେଲାଣି ପାଣିପାଗ । ସେପ୍ଟେମ୍ବର ଅଧା ହେଲାଣି, ଗରମ ଯାଉନି । ନାକେଦମ କରୁଛି ଗୁଳୁଗୁଳି । ଦିନ ହେଉ କି ରାତି, ଦରକାର ପଡ଼ୁଛି ପଙ୍ଖା ଆଉ ଏସି (ଶୀତତାପ ନିୟନ୍ତ୍ରିତ ଯନ୍ତ୍ର) । ଯେବେ ବର୍ଷା ହେଉଛି, ଅସରାଏ ଲେଖାଏଁ ଅଜାଡ଼ି ଦେଉଛି । ମାତ୍ର ଲଗାତାର ଦୁଇ ତିନି ଧରି ଲାଗି ରହୁଥିବା ଝଡ଼ି ବର୍ଷା ଆଉ ନାହିଁ । ମୂଷଳଧାରା ବର୍ଷା ବି କୁଆଡ଼େ ହଜିଗଲାଣି ।
ଶୁକ୍ରବାର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍ ଛୁଇଁଛି ବାଲେଶ୍ୱରରେ, ଯାହାକି ସ୍ୱାଭାବିକ ତୁଳନାରେ ୪ ଡିଗ୍ରୀ ଅଧିକ । ପାରାଦୀପରେ ସ୍ୱାଭାବିକଠାରୁ ୪.୭ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା ତାପମାତ୍ରା, ପହଞ୍ଚିଲା ୩୬.୬ ଡିଗ୍ରୀରେ । ଭୁବନେଶ୍ୱର ତାପମାତ୍ରା ୩୫.୭ ଡିଗ୍ରୀ ଥିଲା, ସ୍ୱାଭାବିକଠାରୁ ୩.୩ ଡିଗ୍ରୀ ଅଧିକ । ଅଧିକାଂଶ ସ୍ଥାନରେ ପାରଦ ୩୩-୩୬ ଡିଗ୍ରୀ ପାଖାପାଖି । ଆର୍ଦ୍ରତା ପରିମାଣ ବି ଅଧିକ ।
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଚରମ ପାଣିପାଗଜନିତ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । କଲମ୍ବିଆ ବିଶ୍ୱବିଦ୍ୟାଳୟର ଇଣ୍ଟରନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଫର୍ କ୍ଲାଇମେଟ ଆଣ୍ଡ୍ ସୋସାଇଟି (ଆର୍ଆର୍ଆଇ) ଙ୍କ ବିଶ୍ଳେଷଣକୁ ଆଧାର କରି ପ୍ରଫେସର ପଶୁପାଳକ କହିଛନ୍ତି, ଏ ବର୍ଷ ଲା-ନିନା ଯୋଗୁ ଦେଶରେ ଶୀତ ପ୍ରକୋପ ଅଧିକ ରହିବ ।
ମାତ୍ର ଓଡ଼ିଶାରେ ଏହାର ପ୍ରଭାବ କମ୍ ପଡ଼ିବ । ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା । ଅକ୍ଟୋବରରେ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିପାରେ । ନଭେମ୍ବର, ଡିସେମ୍ବର ଓ ଜାନୁଆରୀରେ ଦେଶର ବିଭିନ୍ନ ସ୍ଥାନରେ ଥଣ୍ଡା ଅଧିକ ହେବ । ଓଡ଼ିଶାରେ ଏଥର ଶୀତଋତୁରେ ଅଧିକାଂଶ ଦିନ ପାଗ ମେଘୁଆ ରହିବ । ତେଣୁ ଗରମ ଅଧିକ ହେବ । ପ୍ରଫେସର ପଶୁପାଳକ କହିଛନ୍ତି, ବର୍ଷା ଅନିୟମିତର କାରଣ ଜଳବାୟୁ ପରିବର୍ତ୍ତନ ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ, ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍ ୱାର୍ମିଂ ପ୍ରଭାବରେ କ୍ରମଶଃ ତାପମାତ୍ରା ବୃଦ୍ଧି ପାଇବା ସହ ବର୍ଷା ଅନିୟମିତ ହେଉଛି । ୨୦୦୦ ମସିହା ପୂର୍ବରୁ ବର୍ଷା ଦିନେ ଝଡ଼ି ବର୍ଷା (୨/୩ ଦିନ ଧରି ଝିପିଝିପି) ହେଉଥିଲା । ଏଥିରେ ବାୟୁମଣ୍ଡଳ ଥଣ୍ଡା ପଡ଼ୁଥିଲା । ଆଉ ସେଭଳି ବର୍ଷା ନାହିଁ । ଚଳିତବର୍ଷ ନା ମୂଷଳ ଧାରା ବର୍ଷା ହୋଇଛି ନା ଝଡ଼ିବର୍ଷା । ପୂର୍ବରୁ ପ୍ରାୟତଃ ଘୂର୍ଣ୍ଣିବଳୟ/ଲଘୁଚାପ ଉପକୂଳଠାରୁ ଦୂରରେ ସମୁଦ୍ର ଭିତରେ ସୃଷ୍ଟି ହେଉଥିଲା । ଏହା ଅଧିକ ଘନୀଭୂତ ହେଉନଥିଲା ।
ଏହା ପ୍ରଭାବରେ ଉପକୂଳରେ ଅଧିକ ଦିନ ଧରି ଭଲ ବର୍ଷା ହେଉଥିଲା । ମାତ୍ର ଏବେ ପ୍ରାୟତଃ ଘୂର୍ଣ୍ଣିବଳୟ/ଲଘୁଚାପ ଉପକୂଳରେ ସୃଷ୍ଟି ହେଉଛି । ଗ୍ଲୋବାଲ୍ ୱାର୍ମିଂ ପ୍ରଭାବରେ ସମୁଦ୍ର ଜଳପତ୍ତନ ଉତ୍ତପ୍ତ ରହୁଥିବାରୁ ଏହା ଶୀଘ୍ର ଘନୀଭୂତ ହେଉଛି । ଏହା ସ୍ଥଳଭାଗକୁ ଶୀଘ୍ର ଆସିବା ଯୋଗୁ ବର୍ଷା ଯେତିକି ହେବା କଥା ହେଉନି । ଉପକୂଳଠାରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ବେଶି ବର୍ଷା କରାଉଛି । ବର୍ତ୍ତମାନ ବାୟୁମଣ୍ଡଳରେ ଯେତିକି ଜଳୀୟ ବାଷ୍ପ ରହୁଛି, ସେହି ଅନୁପାତରେ ବର୍ଷା ହେଉନି ।
ବର୍ଷା ଯେତେବେଳେ ହେଉଛି, ଅସରାଏ ଲେଖାଏଁ । କେବେ ୫ରୁ ୧୦ ମିମି କିମ୍ବା ଅତି ବେଶିରେ ୪୦ରୁ ୬୦ ମିଲିମିଟର । କିଛି ସମୟ ବର୍ଷା କାଚିବା ପରେ ପୁଣି ପାଗ ବଦଳିଯାଉଛି, ତେଣୁ ଗରମ ଅଧିକ ରହୁଛି । ବର୍ଷାର ଅନିୟମିତତାରେ ଫସଲ ଉତ୍ପାଦନ କମିବ । ବିଭିନ୍ନ ମହାମାରୀ ସହ ମ୍ୟାଲେରିଆ, ଡେଙ୍ଗୁ ରୋଗ ବି ବଢ଼ିବ। ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ବି ବଢ଼ି ଚାଲିବ ।
ଚଳିତବର୍ଷ ରାଜ୍ୟରେ ଏବେ ସୁଦ୍ଧା (ଜୁନ୍ ପହିଲାରୁ ସେପ୍ଟେମ୍ବର ୧୯ ଭିତରେ)ହାରାହାରି ୧୦୦୦.୮ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୮% କମ୍ । ପାଣିପାଗ ବିଭାଗ ହିସାବରେ ୧୯% କମିଲେ ହିଁ ନିଅଣ୍ଟିଆ କୁହାଯାଏ । ତେଣୁ ଏହାକୁ ସ୍ୱାଭାବିକ ବର୍ଷା କୁହାଯିବ ।
୧୦ଟି ଜିଲ୍ଲାରେ ବର୍ଷା ପରିମାଣ ନିଅଣ୍ଟିଆ ରହିଛି ଏଯାଏ । ମୋଟ ହିସାବ ଅନୁସାରେ ରାଜ୍ୟରେ ବର୍ଷା ନିଅଣ୍ଟିଆ ସ୍ଥିତି ନାହିଁ । ମାତ୍ର ଏହା ସତ୍ତେ୍ୱ ଏତେ ଗରମ କାହିଁକି, ତାହା ଚକିତ କରୁଛି । ଚଳିତବର୍ଷ ଜୁନ, ଜୁଲାଇ, ଅଗଷ୍ଟର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସହ ପୂର୍ବ ରେକର୍ଡ ଭାଙ୍ଗିଥିବା ବିଶେଷଜ୍ଞ କହୁଛନ୍ତି । ଅନେକ ଲଘୁଚାପ ଆସୁଛି, ଢେର ବର୍ଷୁଛି, ତଥାପି ମାଟି ବତର ନାହିଁ ଅଧିକାଂଶ ଅଞ୍ଚଳରେ । ଗତ ଦେଢ଼ ଦଶନ୍ଧି ଭିତରେ ମହାନଦୀରେ ଆଉ ବଡ଼ ବନ୍ୟା ଆସିନାହିଁ ।
ବର୍ଷ ତମାମ ରାଜ୍ୟରେ ନଦୀଗୁଡ଼ିକ ଶୁଖିଲା ରହୁଛି । ଜଳ ଉତ୍ସ ଯେମିତି ମରି ମରି ଚାଲିଛି । ବିଶେଷଜ୍ଞ ଆଶଙ୍କା କଲେଣି, ବର୍ଷାର ଅନିୟମିତତା ଏହାର ଏକ ପ୍ରମୁଖ କାରଣ । ଭୂତଳ ଜଳ ବି ଖସିବାରେ ଲାଗିଛି । ଯଦି ଏ ଧାରା ଲାଗି ରହେ, ଆଗକୁ ମହାବିପତ୍ତି ମାଡ଼ି ଆସିବ । ନିକଟରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ବିଶେଷଜ୍ଞମାନେ ଭାରତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜଳ ଉତ୍ସ ଅଭାବରୁ ଆଗକୁ ମହେଞ୍ଜୋଦାରୋ ଓ ହରପ୍ପା ସଭ୍ୟତା ଭଳି ଆମ ଅଞ୍ଚଳ ଲୋପ ପାଇଯିବନି ତ?