ଶୀତରେ ଥରୁଛି ଓଡିଶା, ୩ ଦିନରେ ଆହୁରି ୩ ଡିଗ୍ରୀ ଖସିବ ପାରଦ, ୧୦ ସହର ୧୫ଡିଗ୍ରୀ ତଳେ

Published By : Prameya-News7 Bureau | November 18, 2024 IST

ଭୁବନେଶ୍ୱର,୧୮/୧୧: ଜି.ଉଦୟଗିରିରେ ଶନିବାର ରାତି ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍‌ ଥିଲା । ରବିବାର ପାରଦ ୭.୮  ଡିଗ୍ରୀକୁ ଖସିଛି। ଫୁଲବାଣୀରେ ୧୨.୫ ଥିଲା ।  ଦେଢ଼ ଡିଗ୍ରୀ ଖସିଯାଇଛି । ଭୁବନେଶ୍ୱରରେ  ପାଖାପାଖି ଦେଢ଼ ଡିଗ୍ରୀ ଖସିଛି । ଆଗକୁ  ଆହୁରି ଖସିବ । ଆସନ୍ତା ୩ ଦିନରେ ରାତି  ତାପମାତ୍ରା ଆହୁରି ୩ଡିଗ୍ରୀ ଯାଏ କମିପାରେ ।  ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।  

ରବିବାର ରାଜ୍ୟର ୧୦ ସହରରେ  ପାରଦ ୧୫ ଡିଗ୍ରୀ ତଳେ ଥିଲା ।  ଫୁଲବାଣୀରେ ରାତି ତାପମାତ୍ରା ୧୧ ଡିଗ୍ରୀ  ଥିଲା । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨,  ଅନୁଗୁଳ ଓ ଭବାନୀପାଟଣାରେ ୧୩ ଡିଗ୍ରୀ, ରାଉରକେଲାରେ ୧୩.୧, ଝାରସୁଗୁଡ଼ାରେ  ୧୩.୩, ସୁନ୍ଦରଗଡ଼ ଓ ଭଦ୍ରକରେ ୧୪,  କେନ୍ଦୁଝରରେ ୧୪.୬, ଢେଙ୍କାନାଳରେ ୧୪.୯  ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ  ୧୬ ଡିଗ୍ରୀ ଓ କଟକରେ ୧୬.୫ ଡିଗ୍ରୀ ରେକର୍ଡ  ହୋଇଛି । ଏହାସହିତ ଫୁଲବାଣୀରେ କୁହୁଡ଼ି  ଦୃଶ୍ୟମାନ ହୋଇଥିଲା । ଆଜି ଅନୁଗୁଳରେ  ସ୍ୱାଭାବିକଠାରୁ ସବୁଠୁ କମ୍‌ ବା ସାଢ଼େ ୪  ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଥିଲା ।  ଗତ ତିନି ଦିନ ଧରି କ୍ରମାଗତ ଭାବେ  ରାଜ୍ୟରେ ଶୀତ ବଢୁଛି । 

ଏବେ ଶୀତର ପ୍ରକୋପ ବଢ଼ିବା ସହ ସନ୍ଧ୍ୟାରୁ ଥଣ୍ଡା ଅନୁଭୂତ ହେଉଛି । ରାତିରେ ଅଧିକ ଶୀତ ହେଉଛି । ସେହିଭଳି ପାରଳାଖେମୁଣ୍ଡି ଓ ଚାନ୍ଦବାଲିରେ ୧୮, ବୌଦ୍ଧ  ଓ ବାଲେଶ୍ୱରରେ ୧୮.୨, ମାଲକାନଗିରିରେ ୧୮.୪,  ଯାଜପୁରରେ ୧୮.୫, ପାରାଦୀପରେ ରାତି ତାପମାତ୍ରା  ୧୮.୬ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୭ ଦିନ ଯାଏ  ରାଜ୍ୟରେ ଆଦୌ ବର୍ଷା ସମ୍ଭାବନା ନାହିଁ ଓ ପାଗ ଶୁଖିଲା  ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ତେବେ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.