ପାରାଦୀପ: ବିଜୟା ଦଶମୀରେ ପାରାଦୀପରେ ଗତକାଲି ରାବଣ ପୋଡ଼ି ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ରାବଣ କିଏ ବୋଲି ଚାଲିଥିଲା ବୟାନବାଜି। କଥା ଉଠିଥିଲା ମନ୍ତ୍ରୀ ସଂପଦ ସ୍ବାଇଁଙ୍କ ବକ୍ତବ୍ୟରୁ। ମଣିଷରୂପୀ ରାବଣଙ୍କ କାର୍ଯ୍ୟକଳାପକୁ ଆକ୍ଷେପ କରିବାକୁ ଯାଇ ମନ୍ତ୍ରୀ ସଂପଦ ସ୍ବାଇଁ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ସେହି କଥାରୁ ଆଜି ବି ଚାଲିଛି ଆରୋପ ପ୍ରତ୍ୟାରୋପ । ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଏବଂ ପାରାଦୀପର ଆଗଧାଡ଼ିର ନେତା ବାପି ସର୍ଖେଲ। ତେବେ ସମସ୍ତେ ଗୋଟିଏ କଥା କହୁଥିଲେ ଦାମ ବାବୁଙ୍କ ଆତ୍ମା କାନ୍ଦୁଛି।
ରାବଣ ଦେହରେ ଲାଗିଲା ନିଆଁ। ଦେହସାରା ଫୁଟିଲା ଢୋ ଢା। ଆଉ ଏତିକି ବେଳେ ବି ଫୁଟିଥିଲା ଶବ୍ଦର ବାଣ। ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁଙ୍କ ବକ୍ତବ୍ୟକୁ ନେଇ ତେଜିଛି ପାରାଦୀପ ରାଜନୀତି । ରାବଣ ପୋଡ଼ିରେ ଉଠିଛି ରାବଣ ଉପାଖ୍ୟାନ।… (ରାବଣର ଗୋଟିଏ ଭୁଲ) କଥା ହେଲା ଗତକାଲି ପାରାଦୀପରେ ପାଳନ କରାଯାଇଥିଲା ବିଜୟ ଦଶମୀ। ଏହି ଅବସରରେ ପାରାଦୀପ ସାଗର କ୍ଲବ ପକ୍ଷରୁ ୩୩ ତମ ରାବଣ ପୋଡି ଉତ୍ସବର ଆୟୋଜନ କରାଯାଇଥିଲା। ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ଅବସରରେ ସମ୍ପଦ ସ୍ବାଇଁଙ୍କ ତେର୍ଚ୍ଛା ବାଣ ଚର୍ଚ୍ଚାର ବିଷୟ ହୋଇଛି। ପାରାଦୀପରେ ରାବଣ କିଏ, ଏଠାକାର ଲୋକେ ଜାଣିଛନ୍ତି। ବିଭିନ୍ନ ହତ୍ୟା କାଣ୍ଡରେ ସମ୍ପୃକ୍ତ ମନୁଷ୍ୟକୃତ ରାବଣ ପାରାଦ୍ଵୀପ ରେ ବୁଲୁଛନ୍ତି, ସେମାନଙ୍କୁ ଉଚିତ ଜବାବ ଦିଆଯିବ। ସେମାନଙ୍କୁ ସେମାନଙ୍କ ସ୍ଥାନ ଦେଖାଇ ଦିଆଯିବ ଏହା ପାରାଦୀପ ବାସୀଙ୍କ ପାଖରେ ମୋର ସଂକଳ୍ପ ବୋଲି ସମ୍ପଦ ସ୍ବାଇଁ କହିଥିଲେ। ସେହିପରି ବିଗତ ଦିନରେ ପାରାଦୀପରେ ହୋଇଥିବା ହତ୍ୟାକାଣ୍ଡଗୁଡ଼ିକର ଉଦାହରଣ ଦେଇ ସମ୍ପଦ, ଯେମିତିକି ସେ କହିବାକୁ ଚାହୁଁଥିଲେ ଫାଇଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହେଲାଣି।
ନାଁ ନନେଇଥିଲେ ବି ପାରାଦୀପ ରାଜନୀତିରେ ପୂର୍ବରୁ ଯେଉଁମାନେ ଆଗଧାଡ଼ିରେ ଥିଲେ ସେମାନଙ୍କୁ ଆକ୍ଷେପ କରିଥିଲେ ମନ୍ତ୍ରୀ ସମ୍ପଦ ସ୍ବାଇଁ। ତେଣୁ ପାରାଦୀପ ରାଜନୀତିରେ ଆଗ ଧାଡ଼ିରେ ଥିବା ନେତାମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଏବଂ ବିଜେଡି ନେତା ବାପି ସର୍ଖେଲଙ୍କ ପ୍ରତିକ୍ରିୟା ନେବାକୁ ଚାହୁଁଥିଲୁ। ଯେହେତୁ ସଂପଦ କାହା ନାଁ ନେଇନାହାନ୍ତି ତେଣୁ ଉଭୟ କିଛି ପ୍ରତିକ୍ରିୟା ଦେବାକୁ କୁଣ୍ଠିତ ହୋଇଥିଲେ। ତେବେ ପରେ ଏନେଇ ସେମାନେ କହିଛନ୍ତି ଯେ ଉଚିତ ସମୟରେ ଉଚିତ ଜବାବ ଦିଆଯିବ। ଆଉ ରାମ ରାବଣ ଉପାଖ୍ୟାନରେ ରାବଣ ହିଁ ରାବଣକୁ ପୋଡୁଛି ବୋଲି କହିଥିଲେ ସମ୍ବିତ।
ରାବଣ ପୋଡ଼ିର ବାଣ ଫୁଟିବା ସହିତ ବାକ୍ୟର ବାଣ ସରକାରୀ ଓ ବିରୋଧୀ ନେତା ପରସ୍ପର ବିରୋଧରେ ପ୍ରୟୋଗ କରିଛନ୍ତି। କିନ୍ତୁ ଉଭୟଙ୍କ ମୁହଁରେ ଗୋଟିଏ କଥା ସମାନ ଥିଲା ଦାମବାବୁଙ୍କ ଆତ୍ମା ଉପରେ କାନ୍ଦୁଥିବ।