ହଜ୍ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା: ୯୦ ଭାରତୀୟ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା ସୂଚନା

Published By : Prameya-News7 Bureau | June 20, 2024 IST

indiatoday

ନୂଆଦିଲ୍ଲୀ: ସାଉଦି ଆରବ ମକ୍କାକୁ ହଜ୍‌ ଯାତ୍ରାରେ ଯାଇଥିବା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା ଏକ ହଜାର ଟପିଯାଇଛି। ପ୍ରବଳ ଗରମରେ ଅଂଶୁଘାତ ଯୋଗୁ ଶ୍ରଦ୍ଧାଳଙ୍କୁ ମୃତ୍ୟୁ ହୋଇଛି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ଏଏଫ୍‌ପିରେ ଖବର ପ୍ରକାଶ ପାଇଛି। ହଜାର ହଜାର ଲୋକ ଏବେ ବି ଚିକିତ୍ସିତ ହେଉଛନ୍ତି। ମକ୍କାରେ ତାପମାତ୍ରା ୪୯ ଡିଗ୍ରୀରେ ସେଲ୍‌ସିୟସ୍ ପାର୍ କରିଛି।

ମୃତକଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକଙ୍କର ପଞ୍ଜିକରଣ ହୋଇ ନଥିବା ଜଣାପଡ଼ିଛି। ଏଥିସହିତ ଇଜିପ୍ଟରୁ ସର୍ବାଧିକ ପାଖାପାଖି ୬୫୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୬୩୦ ଜଣ ପଞ୍ଜିକୃତ ହୋଇ ନଥିଲେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତରୁ ୯୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଭାରତୀୟଙ୍କ ମୃତ୍ୟୁ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି ସୂଚନା ଦିଆଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ଏକାଧିକ ଭାରତୀୟ ଯାତ୍ରୀଙ୍କ ପତ୍ତା ମିଳି ନାହିଁ। ମୃତକଙ୍କ ମଧ୍ୟରୁ ଜୋର୍ଡାନ, ଇଣ୍ଡୋନେସିଆ, ଇରାନ, ସେନେଗାଲ, ଟ୍ୟୁନିସିଆରୁ ଯାତ୍ରୀଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି। 

ସାଉଦି ସରକାରଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ହଜରେ ୧.୮ ମିଲିୟନରୁ ଅଧିକ ଲୋକ ଅଂଶଗ୍ରହଣ ସାମିଲ ହୋଇଥିଲେ। ସଚେତନତା ମୂଳଖ ପଦକ୍ଷେପ ଅନୁସାରେ, ଶ୍ରଦ୍ଧାଳୁଙ୍କୁ ସାଙ୍ଗରେ ଛତା ଆଣିବାକୁ କୁହାଯିବା ସହ ସୁସ୍ଥ ରହିବାକୁ ପରାମର୍ଶ ଦିଆଯାଇଥିଲା। ସାଉଦି ସେନା ପକ୍ଷରୁ ୧୬୦୦ରୁ ଅଧିକ ଯବାନ ଚିକିତ୍ସା ଉପକରଣ ସହ ମକ୍କାରେ ନିଯୁକ୍ତ ହୋଇଥିଲେ। ଏଥିସହିତ ୩୦ଟି ରାପିଡ ରେସ୍‌ପନ୍ସ ଟିମ୍‌, ୫ ହଜାର ସ୍ୱାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ଭଲ୍ୟୁଣ୍ଟର ନିଯୁକ୍ତ ରହିଥିଲେ। 

ମକ୍କାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ନୂଆ କଥା ନୁହେଁ। ଏହା ପୂର୍ବରୁ ୨୪୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରୁ ସର୍ବାଧିକ ଇଣ୍ଡୋନେସିଆ ଯାତ୍ରୀ ଥିଲେ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.