ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଆକ୍ରୋଶ ରହିଛି । ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ସେନାର ମୁଖ୍ୟଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକ ପରେ ବାୟୁସେନାର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପହଲଗାମରେ ଧର୍ମକୁ ଟାର୍ଗେଟ୍ କରି ଆତଙ୍କବାଦୀ ଦ୍ୱାରା କରାଯାଇଥିବା ଆକ୍ରମଣରେ ଦେଶ ଅନେକ ନିର୍ଦ୍ଦୋଷ ନାଗରିକଙ୍କୁ ହରାଇଛି । ଏହି ଅମାନବୀୟ କୃତ୍ୟ ଆମ ସମସ୍ତଙ୍କୁ ଶୋକରେ ବୁଡ଼ାଇ ଦେଇଛି ।
ରାଜନାଥ ସିଂହ କହିଛନ୍ତି ଯେ ଭାରତର ସଭ୍ୟତା ବହୁ ପ୍ରଚୀନ ଓ ଏତେ ବଡ଼ ଦେଶକୁ କୌଣସି ଆତଙ୍କବାଦୀ ଗତିବିଧି ଡରାଇ ପାରିବ ନାହିଁ । ଏଭଳି କୃତ୍ୟ ଘଟାଇଥିବା ଲୋକଙ୍କୁ ଏହାର ଜବାବ ଆଗାମୀ କିଛି ଦିନ ମଧ୍ୟରେ ଜୋରଦାର ରୂପେ ମିଳିବ । ସେ କହିଛନ୍ତି ଯେ ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଧରାଯିବ, ସେମାନଙ୍କୁ ଆଦୌ ଛାଡ଼ିବୁ ନାହିଁ । ଆମେ ଜୋରଦାର ଜବାବ ଦେବୁ, ଦୋଷୀଙ୍କୁ ଛାଡ଼ିବୁ ନାହିଁ ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, 'ଭାରତର ପ୍ରତ୍ୟେକ ନାଗରିକ ଏହି ଆକ୍ରମଣ ବିରୋଧରେ ଏକଜୁଟ୍ ଅଛନ୍ତି । ମୁଁ ଏହି ମଞ୍ଚରୁ ଦେଶବାସୀଙ୍କୁ ଭରସା ଦେଉଛି ଯେ ଭାରତ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଆମେ ଆକ୍ରମଣ କରିଥିବା ଆତଙ୍କୀଙ୍କ ଯାଏ ସୀମିତ ରହିବୁ ନାହି, ବରଂ ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ପାଖରେ ବି ପହଞ୍ଚିବୁ ।'
ମଙ୍ଗଳବାର କାଶ୍ମୀର ଉପତ୍ୟକା ରକ୍ତ ରଞ୍ଜିତ ହୋଇଥିଲା । ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ବେଳେ ୧୭ ଆହତ ହୋଇଥିଲେ । ଆତଙ୍କୀମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିଥଇଲେ । ଏପରିକି ଲୋକଙ୍କୁ କଲମା ପଢିବା ପାଇଁ କହିଥିଲେ ଓ ଯେଉଁମାନେ ପଢିଥିଲେ ସେମାନଙ୍କୁ ଛାଡ଼ି ଅନ୍ୟମାନଙ୍କୁ ଗୁଳି କରିଥିଲେ ।