ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ଅଶଙ୍କା । ପାକ୍ ସେନାର ଏୟାରଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ଏଭଳି କିଛି ସ୍ଥିତି ସୃଷ୍ଟି ହୋଇଛି । ଉଭୟ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ସୋମବାର ପାକିସ୍ତାନ ସେନା ଆଫଗାନିସ୍ତାନ ସୀମାରେ ପ୍ରବେଶ କରି ବୋମା ମାଡ଼ କରିଛି । ଏଥିରେ ୮ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଅଫଗାନୀ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି ।
ପାକିସ୍ତାନ କିଛି ଦିନ ହେଲା ଆଫଗାନିସ୍ତନ ଉପରେ ଲଗାତାର ହମଲା କରିଆସୁଛି । ଶନିବାର ପାକ୍ ସେନା ଏକ ମସ୍ଜିଦ ଉପରେ ମୋର୍ଟାର ମାଡ଼ କରିଛନ୍ତି । ଯେଉଁଥିଲେ ୩ଜଣଙ୍କ ଜୀବନ ଚାଲିଯାଇଛି । ପାକ୍ ସେନା ଲଗାତାର ଆକ୍ରମଣ କରୁଥିବା ଆଫଗାନିସ୍ତାନ ନାଗରିକ ଅଭିଯୋଗ କରିଛନ୍ତି । ତେଣୁ ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦ ଏହା ଉପରେ ଧ୍ୟାନ ନେବାକୁ ଅପିଲ୍ କରିଛନ୍ତି ।
ସେପଟେ ଟୋଲୋ ନ୍ୟୁଜ୍ ମୁତାବକ, ତାଲିବାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ପାକିସ୍ତାନ-ଆଫଗାନିସ୍ତାନ ଡୁରଣ୍ଡ ଲାଇନରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳୁଛି । ତାଲିବାନ ସେନା, ପାକିସ୍ତାନର ଦୁଇଟି ସେନା ପୋଷ୍ଟକୁ କବଜା କରିନେଇଛି । ତାଲିବାନ ସେନା ଡୁରଣ୍ଡ ଲାଇନରେ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ପାକିସ୍ତାନ ସେନାକୁ ଟାର୍ଗେଟ୍ କରୁଛି । ଏହି ଅଘୋଷିତ ଯୁଦ୍ଧରେ ପାକିସ୍ତାନର ୧୯ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ତାଲିବାନ ସେନା ପାକିସ୍ତାନର ଗୋଜଗଢ଼ୀ, ମାଟା ସଙ୍ଗର, କୋଟରାଘା ଏବଂ ତରି ମେଙ୍ଗଲ ଅଞ୍ଚଳରେ ପ୍ରବେଶ କରି ଜୋରଦାର ଗୁଳିମାଡ଼ କରିଛନ୍ତି । ମାତ୍ର ପାକିସ୍ତାନ ସେନା ତାଲିବାନର ଅନୁପ୍ରବେଶକୁ ଭଣ୍ଡୁର କରିଥିବା ଦାବି କରିଛି ।