ଭାରତ ନିଷ୍ପତ୍ତିରେ ଚିଡ଼ିଲା ପାକିସ୍ତାନ, ଯଦି ଏମିତି ନ ହୁଏ ଚାମ୍ପିଅନ୍ସ ଟ୍ରଫି ଖେଳିବନି ପାକିସ୍ତାନୀ ଟିମ୍

Published By : Prameya-News7 Bureau | November 11, 2024 IST

abp live

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିକୁ ନେଇ କ୍ରିକେଟ୍ ଜଗତରେ ଚହଳ ପଡ଼ିଛି। ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଆସିବ ନାହିଁ ବୋଲି ଆଇସିସି ଇମେଲ୍ ଜରିଆରେ ଜଣାଇଥିବା କହିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ଆଉ ମାମଲା ପାକିସ୍ତାନ ସରକାରଙ୍କ ନିକଟରେ ପହଞ୍ଚିଛି। ଏକ ପାକିସ୍ତାନୀ ଚ୍ୟାନେଲ ଦାବି କରିଛି ଯେ, ଯଦି ଭାରତୀୟ ଦଳ ପାକିସ୍ତାନ ଆସିବ ନାହିଁ ତେବେ ପାକିସ୍ତାନ ଦଳ ଚାମ୍ପିଅନ୍ସ ଟ୍ରଫିରୁ ଓହରିପାରେ।

ଦ ଡନ ସୂତ୍ରରୁ ପ୍ରକାଶ ଯେ, ଯଦି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି   ଖେଳିବାକୁ ତାଙ୍କ ଦେଶ ନ ଆସେ କିମ୍ବା ଟୁର୍ଣ୍ଣାମେଣ୍ଟକୁ ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତର କରାଯାଏ ତେବେ ପାକିସ୍ତାନ ଏହି ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ନାହିଁ। ଏହା ପୂର୍ବରୁ ପିସିବି ଅଧ୍ୟକ୍ଷ  ମୋହସିନ ରଜା ନକଭି ହାଇବ୍ରିଡ ମୋଡେଲକୁ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି। ହାଇବ୍ରିଡ ମୋଡେଲ୍ ଉପରେ କୌଣସି ଆଲୋଚନା ହେବ ନାହିଁ ବୋଲି ପିସିବି ସ୍ପଷ୍ଟ କରି ସାରିଛି। 

ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ସଂପର୍କକୁ ଦୃଷ୍ଟିରେ ରଖି ବିସିସିଆଇ ନିଜର ଟିମ୍ ପାକିସ୍ତାନ ପଠାଇବ କି ନାହିଁ ତାର ନିଷ୍ପତ୍ତି ଭାରତ ସରକାରଙ୍କ ଉପରେ ଛାଡ଼ିଛି। ଭାରତୀୟ ଦଳ ୨୦୦୮ ମୁମ୍ବାଇ ଆକ୍ରମଣ ପରଠୁ ପାକିସ୍ତାନ ଗସ୍ତ କରି ନାହିଁ। ମାତ୍ର ପାକିସ୍ତାନ ଆଇସିସି ଓ ଏସିଆ କପ୍ ପାଇଁ ଭାରତ ଗସ୍ତ କରି ଆସିଛି। 

ପାକିସ୍ତାନର ଯୁକ୍ତି ଆମେ ପ୍ରଥମରୁ  ହିଁ ଚାମ୍ପିଅନ୍ସ ଟ୍ରଫି ସମୟରେ ଭାରତ ସମେତ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ସର୍ବୋତ୍ତମ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଆଇସିସିକୁ ଜଣାଇ ଦେଇଛୁ। କିନ୍ତୁ ଭାରତ କାହିଁକି ପାକିସ୍ତାନ ଗସ୍ତ କରିବ ନାହିଁ ତାର ଯୁକ୍ତିଯୁକ୍ତି କାରଣ ଜଣାଇ ନାହିଁ। ଯଦି ଭାରତ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ନ ଆସେ ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ଓହରିପାରେ। ଏବେ ପିସିବିର ଆଗାମୀ ପଦକ୍ଷେପ  କଣ ନେବ ତା ଉପରେ ସଭିଙ୍କ ନଜର ରହିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.