ଚାମ୍ପିୟନ ଟ୍ରଫି ୨୦୨୫ରେ ହାଇବ୍ରିଡି ମୋଡେଲ୍‌ ପାଇଁ ରାଜି ହୋଇଥିବା ଖବର ଗୁଜବ ବୋଲି କହିଲା ପାକିସ୍ତାନ

Published By : Prameya-News7 Bureau | November 08, 2024 IST

indiatoday

ନୂଆଦିଲ୍ଲୀ: ପାକିସ୍ତାନ ଆୟୋଜନ କରୁଥିବା ଚାମ୍ପିୟନ ଟ୍ରଫି ୨୦୨୫ରେ ଭାରତ ପାକିସ୍ତାନ ଯାଇ ମ୍ୟାଚ୍ ଖେଳିବ କି ନାହିଁ ତାହା ଏବେ ବି ଅମୀମାଂସିତ ହୋଇ ରହିଛି। ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ଯେ ପାକିସ୍ତାନ ଭାରତ ଜିଦ୍ ଆଗରେ ମୁଣ୍ଡ ନୁଆଁଇ ହାଇବ୍ରିଡି ମୋଡେଲରେ ଖେଳ କରିବାକୁ ରାଜି ହୋଇଥିଲା। ଭାରତ ଏକ ମ୍ୟୁଚୁଆଲ ଭେନ୍ୟୁରେ ମ୍ୟାଚ ଖେଳିବ ବୋଲି କୁହାଯାଇଥିଲା। ହେଲେ ମିଡିଆରେ ପ୍ରକାଶିତ ଏହି ଖବରକୁ ପାକିସ୍ତାନ କ୍ରିକେଟ ବୋର୍ଡ ଖଣ୍ଡନ କରିଛି। କୌଣସି ହାଇବ୍ରିଡି ମୋଡେଲ୍ କଥା ଚିନ୍ତା କରାଯାଇ ନାହିଁ,ଏହା ଗୁଜବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡର ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି।

୨୦୨୫ ଫେବ୍ରୁଆରୀ ମାସରେ ହେବାକୁ ଥିବା ଚାମ୍ପିୟନ ଟ୍ରଫି ଏଥର ପାକିସ୍ତାନ ଆୟୋଜନ କରୁଛି। ହେଲେ ଭାରତ ସରକାର ସୁରକ୍ଷା ଦୃଷ୍ଟିରୁ କ୍ରିକେଟ ଦଳକୁ ପାକିସ୍ତାନ ଯିବାକୁ ଅନୁମତି ଦେଉ ନାହିଁ। ସେପଟେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) କୌଣସି ଦଳକୁ ନିଜ ସରକାର ବିରୋଧରେ ଯିବାକୁ ବାଧ୍ୟ କରିପାରିବ ନାହିଁ ବୋଲି ନିୟମ ରହିଛି। ଏପଟେ ବିସିସିଆଇ ମଧ୍ୟ ଏନେଇ କୌଣସି ନିଷ୍ପତ୍ତି ନେଇ ନାହିଁ। ତେଣୁ ସ୍ଥିତି ଝୁଲନ୍ତା ଅବସ୍ଥାରେ ରହିଛି। 

ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ପ୍ରକାଶିତ ଖବର ଅନୁସାରେ, ପାକିସ୍ତାନ କ୍ରିକେଟ ବୋର୍ଡ ସହ ସମ୍ପୃକ୍ତ ଜଣେ ଅଧିକାରୀ କହିଛନ୍ତି ଯେ ପିସିବି ଟୁର୍ଣ୍ଣାମେଣ୍ଟରେ ହାଇବ୍ରିଡି ମୋଡେଲ ଆପଣାଇବାକୁ ଚିନ୍ତା କରି ନାହିଁ। ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ କରାଚୀ, ରାହୋଲ ଏବଂ ରାୱଲପିଣ୍ଡିରେ ଆୟୋଜିତ ହେବ। ନଭେମ୍ବର ୧୧ ତାରିଖରେ ଆଇସିସି ଚାମ୍ପିୟନ କର୍ଯ୍ୟସୂଚୀ ଘୋଷଣା କରିବ। ଏଥିପାଇଁ ଆସନ୍ତା ସପ୍ତାହରେ ଆଇସିସି ଟିମ୍ ପାକିସ୍ତାନ ଯାଇ ଭେନ୍ୟୁ ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି। 

ଏହା ପୂର୍ବରୁ ପାକିସ୍ତାନ ୨୦୨୩ ଏସିଆ କପ ଆୟୋଜନ କରିଥିଲା। ଏଥିରେ ଭାରତୀୟ ଟିମ୍ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା। ଫାଇନାଲ ବି ଶ୍ରୀଲଙ୍କାରେ ଖେଳାଯାଇଥିଲା। ତେଣୁ ଏଥର ବି ମଧ୍ୟ ସ୍ଥିତି ସମାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଭାରତ ଦୁବାଇରେ ନିଜର ମ୍ୟାଚ୍ ଖେଳିପାରେ ବୋଲି କୁହାଯାଉଛି। ସୂଚନା ଥାଉକି ଭାରତ ୨୦୦୮  ଏସିଆ କପ୍‌ ପରେ ପାକିସ୍ତାନରେ ଆଉ କୌଣସି ଏସିଆ କପ୍ ଖେଳି ନାହିଁ। ସେହିପରି ୨୦୧୨-୧୩ରେ ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାଖିକ ମ୍ୟାଚ୍ ଖେଳ ହୋଇ ନାହିଁ। ତେବେ ଦୁଇ ଟିମ୍ ଏସିଆ କ୍ରିକେଟ ପରିଷଦ ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଧ୍ୟରେ ମୁକାବିଲା ହୋଇଛି। 

ଯଦିଓ ଚାମ୍ପିୟନ ଟ୍ରଫି ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇ ନାହିଁ ତେବେ ପିସିବି ପ୍ରସ୍ତାବିତ ସୂଚୀ ଅନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ମାର୍ଚ୍ଚ ୧ ତାରିଖ ଲାହୋରରେ ହେବ। ୧୯ ଫେବ୍ରୁଆରୀ ୨୦୨୫ରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଆରମ୍ଭ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କରାଚୀରେ ଖେଳାଯିବ। ମାର୍ଚ୍ଚ ୯ ତାରିଖରେ ଲାହୋର ଗଦାଫୀ ଷ୍ଟାଡିୟମ୍‌ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। 

ସୂଚନା ଥାଉକି ଚାମ୍ପିୟନ ଟ୍ରଫି ପାଇଁ ପାକିସ୍ତାନ ମୈଦାନ ପ୍ରସ୍ତୁତ କରିବାକ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। କରାଚୀ, ଲାହୋର ଓ ରାୱପିଣ୍ଡି ଷ୍ଟାଡିୟମ୍‌କୁ ଅପଗ୍ରେଡ୍ କରିବା ପାଇଁ ପାକିସ୍ତାନ ସରକାର ୧୭ ବିଲିଅନ ଟଙ୍କା ଆବଣ୍ଟିତ କରିଛନ୍ତି।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.