ନୂଆଦିଲ୍ଲୀ: ପାକିସ୍ତାନ ଶୁକ୍ରବାର ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ନିଜର ଦଳ ଘୋଷଣା କରିଛି। ମହମ୍ମଦ ରିଜଓ୍ଵାନଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଲେ ସଲମାନ ଅଲ୍ଲୀ ଆଗାଙ୍କୁ ଦଳର ଉପଅଧିନାୟକ ଦାୟିତ୍ଵ ଦିଆଯାଇଛି। ୨୦୧୭ରେ ଚାମ୍ପିଅନ ଦଳର ତିନି ଜଣ ଖେଳାଳିଙ୍କୁ ଏହି ଦଳରେ ସାମିଲ କରାଯାଇଛି। ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ, ଫହିମ ଅସ୍ରଫ ଓ ଫଖର ଜମାନଙ୍କୁ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ପାଇଁ ଚୟନ କରାଯାଇଛି।
ଚୟନକର୍ତ୍ତା ଦଳରେ ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ୨୬ ବର୍ଷୀୟ ଅବରାର ଅହମ୍ମଦଙ୍କୁ ଦଳରେ ସାମିଲ କରିଛି। ଅଲରାଉଣ୍ଡର ଖୁଦଶିଲ ଶାହ, ଫହିମ ଅସ୍ରଫ, ଓପନିଂ ବ୍ୟାଟର ଫଖର ଜମାନଙ୍କ ଦିନିକିଆ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଛି। ସାଇମ ଆୟୁବଙ୍କୁ ଆଘାତ ଲାଗିବା ପରେ ଫଖର ଜମାନଙ୍କୁ ଦଳରେ ସାମିଲ କରାଯାଇଥିଲା।
Also read: ଚତୁର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନରେ ହରାଇଲା ଭାରତ, କବଜା କଲା ସିରିଜ୍
ଫଖର ଜମାନ ୨୦୨୩ ଦିନିକିଆ ବିଶ୍ଵକପ୍ରେ ପାକିସ୍ତାନର ପ୍ରତିନିଧିତ୍ଵ କରିଥିବା ବେଲେ ଖୁସଦିଲ ଶାହ ଶେଷ ଥର ୨୦୨୨ରେ ଦଳ ପକ୍ଷରୁ ଖେଳିଥିଲେ। ଜାତୀୟ ଚୟନକର୍ତ୍ତା ମୁଖ୍ୟ ଅସଦ ଶଫିକ କହିଛନ୍ତି, ଦଳ ଚୟନ ସମୟରେ ଖେଳାଳିଙ୍କ ଫର୍ମକୁ ଅଗ୍ରାଧିକାର ଦିଆଯାଇଛି।
ଦଳରେ ହାରିସ ରଉଫ, ମହମ୍ମଦ ହସନେନ, ନସୀମ ଶାହ ଓ ଶାହୀନ ଶାହ ଆଫ୍ରିଦିଙ୍କ ଭାବେ ଚାରି ଦ୍ରୁତ ବୋଲରଙ୍କୁ ଦଳରେ ଚୟନ କରାଯାଇଛି। ଦଳ ଫେବୃଆରୀ ୮ରୁ ୧୪ ପର୍ଯ୍ୟନ୍ତ କରାଚି ଓ ଲାହୋରରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ସହିତ ତ୍ରିକୋଣୀୟ ସିରିଜ୍ ବି ଖେଳିବ।
ପାକିସ୍ତାନ ଟିମ୍
ବାବର ଆଜମ, ଫଖର ଜମାନ, କାମରାନ ଗୁଲାମ, ସଉଦ ଶକିଲ, ତୈୟବ ତାହିର, ଫହୀମ ଅସ୍ରଫ, ଖୁଶଦିଲ ଶାହ, ସଲମାନ ଅଲ୍ଲୀ ଆଗା(ଉପ ଅଧିନାୟକ), ମହମ୍ମଦ ରିଜଓ୍ଵାନ(ଅଧିନାୟକ), ଉସ୍ମାନ ଖାନ, ଅବରାର ଅହମ୍ମଦ, ହାରିସ ରଉଫ, ମହମ୍ମଦ ହସନେନ, ନସୀମ ଶାହ, ଶାହୀନ ଶାହ ଆଫ୍ରିଦି।