ପରିସଂଖ୍ୟାନ ମନ୍ତ୍ରାଳୟର ସଦ୍ୟ ସର୍ଭେ; ମାସିକ ମୁଣ୍ଡପିଛା ପାରିବାରିକ ବ୍ୟୟରେ ଓଡ଼ିଶା ବହୁ ପଛରେ

Published By : Prameya-News7 Bureau | December 28, 2024 IST

ନୂଆଦିଲ୍ଲୀ: ଦେଶରେ ମୁଣ୍ଡପିଛା ମାସିକ ପାରିବାରିକ ବ୍ୟୟରେ ବହୁ ପଛରେ ଓଡ଼ିଶା । ରାଜ୍ୟର ପରିବାର ପିଛା ଗ୍ରାମାଞ୍ଚଳରେ ହାରାହାରି ମାସିକ ବ୍ୟୟ ୩ ହଜାର ୩୫୭ ଟଙ୍କା। ଅର୍ଥାତ୍ ୪ରୁ ୫ ଜଣିଆ ଗୋଟିଏ ପରିବାର ମାତ୍ର ଏତିକି ଟଙ୍କା ମାସକୁ ଖର୍ଚ୍ଚ କରିବାକୁ ପାଉଛି । ସାରା ଦେଶରେ ୨୦ ପ୍ରମୁଖ ରାଜ୍ୟ ଭିତରେ ଓଡ଼ିଶା ସ୍ଥାନ ୧୭ । ଶେଷ ଆଡ଼ୁ ହିସାବ କରିବା ତେବେ ତୃତୀୟ ସ୍ଥାନ। ଜାତୀୟ ସ୍ତରରେ ଗ୍ରାମୀଣ ପରିବାର ଖର୍ଚ୍ଚ କରୁଛି ୪ହଜାର ୧୨୨ ଟଙ୍କା। ପ୍ରମୁଖ ରାଜ୍ୟ ମଧ୍ୟରେ ସବୁଠାରୁ ଉପରେ ରହିଛି କେରଳ, ଓଡ଼ିଶାର ପାଖାପଖି ଦୁଇ ଗୁଣା । ମାସକୁ ହାରାହାରି ୬ହଜାର ୬୧୧ ଟଙ୍କା ଖର୍ଚ୍ଚ ହେଉଛି ଗ୍ରାମୀଣ କେରଳରେ ପରିବାର ପିଛା । 

ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ଵୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ପାରିବାରିକ ବ୍ୟୟ ସର୍ବେକ୍ଷଣ: ୨୦୨୩-୨୪ରେ ଏଭଳି ଉଦ୍ ବେଗଜନକ ଚିତ୍ର ସାମ୍ନାକୁ ଆସିଛି। ଓଡ଼ିଶା ସହରାଞ୍ଚଳ ସ୍ଥିତି ବି ପ୍ରାୟ ଏକା ପ୍ରକାର । ସହରୀ ଚଢ଼ା ଦରଦାମ ଓ ଅନ୍ୟାନ୍ୟ ଜରୁରୀ ସହରୀ ଖର୍ଚ୍ଚ ପାଇଁ ଗୋଟିଏ ପରିବାର ମାସକୁ ମାତ୍ର ୫ ହଜାର ୮୨୫ ଟଙ୍କା ପାଉଛି ଖର୍ଚ୍ଚ କରିବାକୁ । ଏଥିରେ ଘରଭଡ଼ା ଓ ଦୈନିକ ଯାତାୟତ ଖର୍ଚ୍ଚ ସାମିଲ ରହିଛି । ଜାତୀୟ ସ୍ତରରେ ସହରାଞ୍ଚଳ ହାରାହାରି ପରିବାର ପିଛା ବ୍ୟୟ ୬ହଜାର ୯୯୬ ଟଙ୍କା। ତେଲଙ୍ଗାନାରେ ସହରୀ ପରିବାର ମାସକୁ ହାରାହରି ୮ହଜାର ୯୭୮ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛି । ସହରାଞ୍ଚଳ ହାରାହାରି ପରିବାର ପିଛା ବ୍ୟୟରେ ଓଡ଼ିଶାର ସ୍ଥାନ ତଳପଟୁ ସପ୍ତମ ରହିଛି । 

ସର୍ଭେ ରିପୋର୍ଟ କହୁଛି, ୨୦୨୨-୨୩ ତୁଳନାରେ ପାରିବାରିକ ଖର୍ଚ୍ଚ ଗାଁରେ ୯% ଓ ସହରରେ ୮% ବଢ଼ିଛି । କିନ୍ତୁ ଦରଦାମ ବି ସେତିକି କିମ୍ବା ତା’ଠାରୁ ଅଧିକ ବଢ଼ିଛି ଏହି ସମୟ ଭିତରେ । ମାଗଣା ଚାଉଳ ଏବଂ ଅନ୍ୟାନ୍ୟ ରିହାତି ସୁବିଧାକୁ ମିଶାଇଲେ ଜାତୀୟ ସ୍ତରରେ ଗ୍ରାମୀଣ ପରିବାରିକ ହାରାହାରି ଖର୍ଚ୍ଚ ୪,୨୪୭ ଟଙ୍କା ଓ ସହରରେ ୭,୦୭୮ ଟଙ୍କା ହେବ । ରିପୋର୍ଟ ଅନୁସାରେ, ୨୦୨୩-୨୪ରେ ଦେଶରେ ଏମ୍‌ପିସିଇ କ୍ଷେତ୍ରରେ ଅର୍ବାନ୍‌-ରୁରାଲ ଗ୍ୟାପ୍‌ ୭୦%କୁ କମିଛି । ଏହା ୨୦୧୧-୧୨ରେ ୮୪% ଥିବାବେଳେ ୨୦୨୨- ୨୩ରେ ୭୧%କୁ ଖସିଥିଲା । ଏଥିରୁ ଜଣାପଡୁଛି ଯେ, ଦେଶର ଗ୍ରାମାଞ୍ଚଳରେ ବ୍ୟୟ ଅଭିବୃଦ୍ଧି ଧାରା ବଜାୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.