ଚେନ୍ନାଇ ୩।୧: ସାଇବର ଠକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପଇସା ଉଡାଇବା ପାଇଁ ନୂଆ ନୂଆ ଯୋଜନା କରୁଛନ୍ତି। ଏବେ ସେମାନେ ୟୁପିଆଇ ୟୁଜରଙ୍କ ଖାତା ଖାଲି କରିବା ପାଇଁ ନୂଆ ଉପାୟ ନେଇ ଆସିଛନ୍ତି। ଏହାକୁ ‘ଜମ୍ପଡ ଡିପୋଜିଟ ସ୍କାମ’ ବୋଲି କୁହାଯାଉଛି। ଠକେଇର ଏହି ଉପାୟ ଏତେ ସରଳ ଯେ ଏହାର ଶିକାର ବ୍ୟକ୍ତିଙ୍କୁ ଆଭାସ ମଧ୍ୟ ହୁଏନି ତାଙ୍କ ଆକାଉଣ୍ଟ ଖାଲି ହୋଇସାରିଲାଣି। ତେବେ ଆସନ୍ତୁ ଜାଣିବା ସାଇବର ଠକ କିପରି କରୁଛନ୍ତି ଜମ୍ପଡ ଡିପୋଜିଟ୍ ସ୍କାମ।
ଏହି ଉପାୟରେ ସାଇବର ଠକ ପ୍ରଥମେ ଶିକାରଙ୍କ ବ୍ୟାଙ୍କ ଖାତାକୁ ୟୁପିଆଇ ମାଧ୍ୟମରେ ପଇସା ପଠାନ୍ତି। ସେମାନେ ଜାଣନ୍ତି ପଇସା କ୍ରେଡିଟ ହେବାର ମ୍ୟାସେଜ୍ ମିଳିବାମାତ୍ରେ ଅଧିକାଂଶ ଲୋକେ ସେମାନଙ୍କ ବ୍ୟାଙ୍କ ବାଲାନ୍ସ ଚେକ୍ କରନ୍ତି। ସେହି ଅନୁସାରେ ଯେମିତି ଲୋକେ ତାଙ୍କ ବାଲାନ୍ସ ଚେକ୍ କରିବାକୁ ପିନ୍ ଦିଅନ୍ତି ତାଙ୍କ ଆକାଉଣ୍ଟରୁ ପଇସା ବାହାରିଯାଏ। ତାମିଲନାଡୁ ପୋଲିସ ଏହି ସ୍କାମକୁ ନେଇ ଲୋକଙ୍କୁ ଆଲର୍ଟ ଜାରି କରିଛି।
ଏହା ସହିତ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ମଧ୍ୟ ଏପରି ସ୍କାମର କେତେକ ଅଭିଯୋଗ ମଧ୍ୟ ହୋଇଛି। ଏଣୁ ତାମିଲନାଡୁ ପୋଲିସ କହିଛି ଯଦି ଆପଣଙ୍କ ବ୍ୟାଙ୍କ ଖାତାକୁ ୟୁପିଆଇ ମାଧ୍ୟମରେ କୌଣସି ଅଜଣା ବ୍ୟକ୍ତି ପଇସା ପଠାନ୍ତି ତେବେ ଆପଣ ସାବଧାନ ହେବା ଜରୁରି ବୋଲି ସତର୍କ କରିଛି।
ଏମିତି ହେଉଛି ଆକାଉଣ୍ଟ ଖାଲି
ଠକ ୟୁପିଆଇରେ କୌଣସି ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ସାମାନ୍ୟ ରାଶି ଜମା କରନ୍ତି। ଏହାର ତୁରନ୍ତ ବାଦେ ସେମାନେ ଜମା କରାଯାଇଥିବା ରାଶିଠାରୁ ବଡ଼ ରାଶି ପାଇଁ ୱିଡ୍ରଲ ରିକ୍ୱେଷ୍ଟ କରିଥାନ୍ତି। ପଇସା ଜମା ହେବାର ମ୍ୟାସେଜ ମିଳିବାମାତ୍ରେ ଅଧିକାଂଶ ଲୋକେ ସେମାନଙ୍କ ବାଲାନ୍ସ ଚେକ୍ କରିବା ପାଇଁ ୟୁପିଆଇ ଆପ୍ ଖୋଲି ଥାନ୍ତି। ଏଥିପାଇଁ ସେମାନେ ନିଜର ପର୍ସନାଲ ଆଇଡେଣ୍ଟିଫିକେସନ ନମ୍ବର (ପିଆଇଏନ) ଦେଇଥାନ୍ତି। ଯେହେତୁ ଠକ ଖାତାରୁ ପଇସା ବାହାର କରିବା ପାଇଁ ପ୍ରଥମରୁ ୱିଡ୍ରଲ ରିକ୍ୱେଷ୍ଟ କରି ରଖିଥାନ୍ତି ଏଣୁ ୱିଡ୍ରଲ ପାଇଁ ସେମାନଙ୍କ ରିକ୍ୱେଷ୍ଟ ପିନ୍ ଦେବା ମାତ୍ରେ ଆପୃଭ ହୋଇଯାଏ ଓ ଆକାଉଣ୍ଟରୁ ପଇସା ବାହାରି ଯାଏ।
ଏପରି ବର୍ତ୍ତନ୍ତୁ ଠକାମୀରୁ
ଏପରି ସ୍କାମରୁ ୟୁପିଆଇ ୟୁଜର ଦୁଇଟି ଉପାୟରେ ବର୍ତ୍ତିପାରିବେ। ପ୍ରଥମ ଉପାୟଟି ହେଉଛି ଯଦି ଆପଣଙ୍କ ପାଖକୁ ପଇସା ଜମା ହେବାର ମ୍ୟାସେଜ ଆସୁଛି ତେବେ ଆପଣ ବାଲାନ୍ସ ଚେକ୍ କରିବାକୁ ଅନୁନ୍ୟ ଅଧଘଣ୍ଟା ଅପେକ୍ଷା କରିଯାଆନ୍ତୁ। ଠକଙ୍କ ୱିଡ୍ରଲ ଅନୁରୋଧ କିଛି ସମୟ ପରେ ମନକୁ ମନ ସମାପ୍ତ ହୋଇଯିବ ଓ ଆପଣ ପିନ୍ ଦେଲେ କୌଣସି ପ୍ରଭାବ ପଡିବ ନାହିଁ। ସେହିପରି ଦ୍ୱିତୀୟ ଉପାୟ ହେଉଛି ଯଦି ଆପଣ ଅପେକ୍ଷା କରି ନ ପାରୁଛନ୍ତି ଜାଣିଶୁଣି ଭୁଲ ପିନ୍ ଦିଅନ୍ତୁ। ଏହା ଦ୍ୱାରା ପିଛିଲା ଟ୍ରାଞ୍ଜାକ୍ସନ ମନକୁ ମନ ଅସ୍ୱୀକୃତ ହୋଇଯିବ।