ନୂଆଦିଲ୍ଲୀ ୦୫।୦୧ : ଗୁଜୁରାଟ୍ ପୋରବନ୍ଦର ବିମାନବନ୍ଦରରେ ଅଘଟଣ । ରୁଟିନ୍ ଟ୍ରେନିଂ ବେଳେ ହେଲିକପ୍ଟର କ୍ରାସ୍ । ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ରବିବାର ଅପରାହ୍ନ ସମୟରେ ଗୁଜୁରାଟ୍ ପୋରବନ୍ଦର ବିମାନବନ୍ଦରରେ କୋଷ୍ଟଗାର୍ଡର ଆଡଭାନ୍ସ ହେଲିକପ୍ଟର ଧ୍ରୁବ ରୁଟିନ୍ ଚେକ୍ଅପ୍ରେ ବାହାରିଥିଲା । ହେଲେ ଏହି ସମୟରେ ଘଟିଲା ଅଘଟଣ । ହଠାତ୍ ହେଲିକପ୍ଟରରେ କୌଣସି ତ୍ରୁଟି ନଜର ଆସିଥିଲା । ଯାହାକୁ ନେଇ ପାଇଲଟ୍ ଜଣଙ୍କ ତୁରନ୍ତ ଲ୍ୟାଣ୍ଡିଂ କରିବାକୁ ଅନୁମତି ମାଗିଥିଲେ ।ଆଉ ଅନୁମତି କରିବା ସମୟରେ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଆଉ ହେଲିକପ୍ଟରରେ ଲାଗିଥିବା ନିଆଁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି। ଭାରତୀୟ ସେନା ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଏହାପୂର୍ବରୁ ୨୦୨୪ ସେପ୍ଟେମ୍ବର ୨ ତାରିଖରେ ପୋରବନ୍ଦର ନିକଟ ଆରବ ସାଗରରେ କୋଷ୍ଟ ଗାର୍ଡର ଏକ ଆଡଭାନ୍ସ ଲାଇଟ୍ ହେଲିକପ୍ଟର କ୍ରାସ୍ ହୋଇଥିଲା । ଯେଉଁଥିରେ ୪ ଜଣଙ୍କ ସହିତ ଜଣେ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେହିପରି ୨୬ ମାର୍ଚ୍ଚ ୨୦୨୩ରେ କେରଳର କୋଚି ଇଣ୍ଟରନ୍ୟାସନ୍ୟାଲ୍ ଏୟାରପୋର୍ଟ ନିକଟରେ ଇଣ୍ଡିଆନ୍ କୋଷ୍ଟଗାର୍ଡର ଏକ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ଧ୍ରୁବ ମାର୍କ 3 ଟେଷ୍ଟ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ଯେଉଁଥିରେ ଟ୍ରେନି ପାଇଲଟ ଜଣଙ୍କ ସାମାନ୍ୟ ଆହତ ହୋଇଥିଲେ ।