ଦୂର ହେବ ଭୁବନେଶ୍ବରର ଟ୍ରାଫିକ୍ ସମସ୍ୟା : ଫ୍ଲାଇଓଭର, ରିଙ୍ଗ ରୋଡ଼୍ ନିର୍ମାଣ ପାଇଁ ଯୋଜନା

Published By : Prameya-News7 Bureau | December 10, 2024 IST

ଭୁବନେଶ୍ୱର ୧୦।୧୨: ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି । ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନ ରଖାଯାଇଥିଲା । ଏହି ଉପସ୍ଥାପନାରେ ଭୁବନେଶ୍ବରର ଜୟଦେବ ବିହାର-ନନ୍ଦନକାନନ ନୂତନ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକ ଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଙ୍ଗରୋଡ, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତିକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନ୍‌ଷ୍ଟିଚ୍ୟୁଟ ଅଫ ମାଥମେଟିକ୍‌ସ ଠାରୁ ଏକାମ୍ର କାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ-ମ୍ୟୁଜିଅମ-ରବି ଟକିଜ ନୂତନ ଫ୍ଲାଇ ଓଭର, ଶିଶୁଭବନ-ମାଉସୀମା ମଧ୍ୟରେ ଆଉ ଏକ ROB, ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି-ତମାଣ୍ଡୋ ପର୍ଯ୍ୟନ୍ତ ରିଙ୍ଗ ରୋଡ ନିର୍ମାଣ ବିଷୟରେ ପୂର୍ତ୍ତ ବିଭାଗର ପକ୍ଷରୁ ପ୍ରସ୍ତାବିତ ତଥ୍ୟ ଉପସ୍ଥାପନ କରାଯାଇଥିଲା । 

ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ବର-କଟକ-ପୁରୀ ଇକୋନୋମିକ୍‌ ରିଜିଅନ ଗଠନ ଏବଂ ଗ୍ରେଟର ଭୁବନେଶ୍ବର ଗଠନ ସଂପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ଏହି ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ପ୍ରଭାତୀ ପରିଡା, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭି.ଭି. ଯାଦବ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

You Can Read:

ଭାରତୀୟ ଜଳ ସୀମାରେ ଧରାପଡ଼ିଲେ ୭୮ ବାଂଲାଦେଶୀ, କୋଷ୍ଟଗାର୍ଡ ଅଟକାଇବାରୁ ଖସିଯିବାକୁ କରିଥିଲେ ଚେଷ୍ଟା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.