୨୦୨୪ରେ କ୍ରିକେଟକୁ ଅଲ୍‌ବିଦା କହିଛନ୍ତି କ୍ରିକେଟର ଏହି ଷ୍ଟାର ପ୍ଲେୟର, ଜାଣନ୍ତୁ କିଏ କିଏ ଅଛନ୍ତି ଲିଷ୍ଟରେ…

Published By : Prameya-News7 Bureau | December 27, 2024 IST

ନୂଆଦିଲ୍ଲୀ ୨୭।୧୨: କ୍ରୀଡାପ୍ରେମୀଙ୍କ ହୃଦୟ ଭାଙ୍ଗିଲେ । କ୍ୟାରିୟରକୁ କହିଲେ ଅଲ୍‌ବିଦା । ଦୀର୍ଘ ଦିନର ଯାତ୍ରାରେ ପକାଇଲେ ପୁର୍ଣ୍ଣଚ୍ଛେଦ । ୨୦୨୪ ଥିଲା ବିଶ୍ୱ କ୍ରିକେଟରଙ୍କ କ୍ୟାରିୟରର ଶେଷ ବର୍ଷ । ଦୀର୍ଘ ବର୍ଷ ଧରି ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ପ୍ଲେୟର ପଡିଆରେ ଆଉ ଦେଖିବାକୁ ମିଳିବେନି । ଏମାନଙ୍କ ମଧ୍ୟରୁ ଏପରି କିଛି ପ୍ଲେୟର ଅଛନ୍ତି ଯାହାଙ୍କ ସନ୍ୟାସ ରହିଥିଲା ବେଶ ବିବାଦୀୟ । 

ଲିଷ୍ଟର ପ୍ରଥମରେ ଅଛନ୍ତି ଟିମ୍‌ ଇଣ୍ଡିଆର ୩ ଷ୍ଟାର ପ୍ଲେୟର । ୨୦୨୪ ଟି-ଟ୍ବେଣ୍ଟି ଓ୍ବାର୍ଲ୍ଡକପ୍‌ ଜିତିବା ପରେ ଟି-୨୦ରୁ ନେଇଛନ୍ତି ସନ୍ୟାସ । ଏହି ପ୍ଲେୟର ହେଉଛନ୍ତି ବିରାଟ କୋହଲି, ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜା । ଭାରତ ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତିବା ମାତ୍ରେ ବିରାଟ ଗ୍ରାଉଣ୍ଡ୍‌ ଭିତରେ ଅବସର ଘୋଷଣା କରି ଚକିତ କରିଦେଇଥିଲେ । ପରେ ପରେ ରୋହିତ ଓ ଜାଡେଜା ଅବସର ନେଇଥିଲେ । ଏମାନଙ୍କ ବ୍ୟାକ୍‌-ଟୁ-ବ୍ୟାକ୍‌ ଅବସର ନେବା ପାଲଟିଥିଲା ଚର୍ଚ୍ଚାର ବିଷୟ ।

ଏହାପଛକୁ ରହିଛନ୍ତି ଟିମ୍‌ ଇଣ୍ଡିଆର ଲୋକପ୍ରିୟ ପ୍ଲେୟର ଶିଖର ଧାୱନ । ତାଙ୍କ ଅବସର ସମସ୍ତଙ୍କୁ ବ୍ୟଥିତ କରିଥିଲା । ଯୁବ ତାରକାଙ୍କ ଆବିର୍ଭାବ ପରେ ଧାୱନଙ୍କୁ ଅଣଦେଖା କରାଯାଇଥିଲା । ବେଶ୍‌ କିଛି ଦିନ ଅପେକ୍ଷା କରିବା ପରେ ଅଗଷ୍ଟ ୨୪ରେ ସେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଧାୱନ ଶେଷ ଥର ପାଇଁ ୨୦୨୨ ଡିସେମ୍ବରରେ ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ପାଇଁ ଖେଳିଥିଲେ ଏବଂ ଶୁଭମନ ଗିଲଙ୍କ ଆବିର୍ଭାବ ପରେ ତାଙ୍କୁ ଆଉ ଟିମ୍‌ରେ ସ୍ଥାନ ମିଳି ନଥିଲା । 

ସେହିପରି ଟିମ୍‌ ଇଣ୍ଡିଆର ପୂର୍ବତନ ୱିକେଟ୍‌ କିପର ଦିନେଶ କାର୍ତ୍ତିକ ଆଇପିଏଲ୍‌ ସହ ସବୁ ଫର୍ମାଟରୁ ଅବସର ନେଇଥିଲେ । ନିଜର ୩୯ତମ ଜନ୍ମଦିନରେ ସେ ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଥିଲେ ।  ତେବେ ଏମାନଙ୍କ ବ୍ୟତୀତ ନିକଟରେ ଅବସର ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ସେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଶେଷରେ ହିଁ ବିଶ୍ୱ ପ୍ରସିଦ୍ଧ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଅଶ୍ୱିନଙ୍କ ବିଦାୟ ସହ ଏକ ପାରମ୍ପରିକ ଅଫ ସ୍ପିନ୍‌ ବୋଲିଂର ଯୁଗ ଶେଷ ହୋଇଯାଇଛି । 

ଏମାନଙ୍କ ବ୍ୟତୀତ ୨୦୨୪ରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍‌ ସାଉଦି ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି । ସାଉଦି ଟେଷ୍ଟ କ୍ରିକେଟ୍‌ରେ ୩୯୧ଟି ୱିକେଟ୍‌ ନେଇଛନ୍ତି । ସେହିପରି ନ୍ୟୁଜିଲାଣ୍ଡର ଅନ୍ୟତମ ପେସ୍‌ ବୋଲର ନିଲ ୱାଗନର ମଧ୍ୟ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘାଷଣା କରିଛନ୍ତି  । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ରେ ଭାରତକୁ ହରାଇ ଟାଇଟଲ ଜିତିବା ପଛରେ ୱାଗନରଙ୍କ ରହିଥିଲା ପ୍ରମୁଖ ଭୂମିକା ।  

ତେବେ ଏମାନଙ୍କ ବ୍ୟତୀତ ପ୍ରସିଦ୍ଧ ଇଂଲଣ୍ଡ ପେସ୍‌ ବୋଲର ଜେମ୍ସ ଆଣ୍ଡରସନଙ୍କ ବିଦାୟ ସାମାନ୍ୟ ବିବାଦୀୟ ରହିଥିଲା । ତାଙ୍କୁ ଅବସର ନେବା ପାଇଁ ଏକ ପ୍ରକାର ବାଧ୍ୟ କରାଯାଇଥିଲା । ତାଙ୍କ ଯୋଗୁଁ ଯୁବ ତାରକାଙ୍କୁ ସୁଯୋଗ ମିଳିପାରୁନଥିବା ଟିମ ମ୍ୟାନେଜମେଣ୍ଟ ଜଣାଇଥିଲା। ଶେଷରେ ଜୁଲାଇ ୧୨ରେ ଅନୁଷ୍ଠିତ ୱେଷ୍ଟ ଇଣ୍ଡିଜ ବିପକ୍ଷ ଲର୍ଡସ ଟେଷ୍ଟ ଖେଳି ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.