ସାବାସ୍ ନୀତିଶ ସାବାସ୍ ଓ୍ବାଶି; ମେଲବର୍ଣ୍ଣରେ ଓ୍ବିକେଟ୍ ପାଇଁ ସଂଘର୍ଷ କଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | December 28, 2024 IST

ନୂଆଦିଲ୍ଲୀ: ମେଲବର୍ଣ୍ଣ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ । ନୀତିଶ ରେଡ୍ଡି ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ଦମ୍‌ରେ ଟିମ୍ ଇଣ୍ଡିଆ ଫଲୋ-ଅନ୍ ଏଡ଼ାଇବାରେ ସଫଳ ହୋଇଛି । ନୀତିଶଙ୍କ ମେଡେନ୍ ଶତକ ମାରିଥିବା ବେଳେ ସୁନ୍ଦର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଫଳରେ ଭାରତୀୟ ଦଳ ୯ ଓ୍ବିକେଟ୍ ହରାଇ ୩୫୮ ରନ ସଂଗ୍ରହ କରିଛି । ହେଲେ ଏବେବି ଟିମ୍ ଇଣ୍ଡିଆ ଘରୋଇ ଅଷ୍ଟ୍ରେଲିଆ ଠାରୁ ୧୧୬ ରନ ପଛରେ ରହିଛି । ବିଶ୍ବ ଟେଷ୍ଟ ଚମ୍ପିଅନସିପ୍ ଫାଇନାଲ ପାଇଁ ବକ୍ସିଂ ଡେ ଟେଷ୍ଟ ବହୁ ଗୁରୁତ୍ବପୂର୍ଣ୍ଣ । ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟକୁ କୌଣସି ପରିସ୍ଥିତିରେ ଭାରତୀୟ ଦଳକୁ ଜିତିବାକୁ ହେବ । ଦୁଇଟି ମ୍ୟାଚରୁ ଗୋଟିଏରେ ଫେଲ୍ ମାରିଲେ ଡବ୍ଲୁଟିସି ଆଶା ଧୂଳିସାତ୍ ହେବ ।

ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଛି ବକ୍ସିଂ ଡେ’ ଟେଷ୍ଟ । ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ଅଷ୍ଟ୍ରେଲିଆ । ପ୍ରଥମ ଇନିଂସରେ ପାଟ୍ କୁମିନ୍ସ ସେନା ୪୭୪ ରନ ବିଶାଳ ସ୍କୋର ଛିଡ଼ା କରିଛି । ଏଥିରେ ଷ୍ଟିଭ୍ ସ୍ମିଥଙ୍କ ୧୪୦ ରନ ଶତକୀୟ ଇନିଂସ ରହିଛି । ସେହିପରି ସାମ୍ କୋନଷ୍ଟାସ୍, ଉସ୍ମାନ ଖୌଜା, ମାର୍ନୁସ ଲାବୁସାନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରାଙ୍କୁ  ୪ ଓ୍ବିକେଟ୍ ମିଳିଥିବା ବେଲେ ରବୀନ୍ଦ୍ର ଜାଡେଜାଙ୍କୁ ୩ଟି ଓ୍ବିକେଟ୍ ମିଳିଛି । 

ସେପଟେ ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୯ ଓ୍ବିକେଟ୍ ହରାଇ ୩୫୮ ରନ ସଂଗ୍ରହ କରିଛି । ପୁଣି ଥରେ କଙ୍ଗାରୁ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିଲେ ସିନିୟର ବ୍ୟାଟର । ଜୈସ୍ବାଲ, ନୀତିଶ, ସୁନ୍ଦରଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଭାରତୀୟ ଦଳ ଫଲୋ-ଅନ୍ ଏଡ଼ାଇବାରେ ସଫଳ ହୋଇଛି । ଜୈସ୍ବାଲ ୮୨ ରନ କରିଥିବା ବେଳେ ୨୩ ବର୍ଷୀୟ ନୀତିଶ ଅଷ୍ଟ୍ରେଲିଆ ବୋଲରଙ୍କୁ ପାଣି ପିଆଇଥିଲେ । ନୀତିଶ ୧୦୫ ରନ୍ କରି ଅପରାଜିତ ଅଛନ୍ତି । ସେହିପରି ଓ୍ବାଶିଂଟନ ସୁନ୍ଦର ୫୦ ରନ କରି ଦଳୀୟ ସ୍କୋରକୁ ବଢ଼ାଇବାରେ ସହଯୋଗ କରିଥିଲେ । ମ୍ୟାଚ୍ ଜିତିବାକୁ ହେଲେ ଆହୁରି ଦୁଇ ଦିନ ଟିମ୍ ଇଣ୍ଡିଆକୁ ସଂଘର୍ଷ କରିବାକୁ ପଡ଼ିବ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.