ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ବର୍ଡର-ଗାଭାସ୍କର ଟ୍ରଫିରେ ବେଶ ଚର୍ଚ୍ଚା ଏବଂ ବିବାଦରେ ରହିଛନ୍ତି । ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଯୁବ ବ୍ୟାଟର ସାମ କୋନଷ୍ଟାସଙ୍କୁ ଧକ୍କା ଦେଇଥିଲେ, ଯେଉଁଥି ପାଇଁ ଆଇସିସି ତାଙ୍କ ଉପରେ ଜରିମାନା ଲଗାଇଥିଲା । ଏହାସହ ଏକ ଡିମେରିଟ୍ ଅଙ୍କ ମଧ୍ୟ ଦେଇଥିଲା । ତେବେ କୋହଲିଙ୍କୁ ମିଳିଥିବା ଦଣ୍ଡରେ ଅଷ୍ଟ୍ରେଲିଆ ଖୁସି ନଥିଲା ଏବଂ ତାଙ୍କୁ ସମାଲୋଚନା କରିବା ସହ ଅପଶବ୍ଦ ମଧ୍ୟ ବ୍ୟବହାର କରିଥିଲେ । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର କେରି ଓ କିଫ୍ କୋହଲିଙ୍କୁ ଅଂହକାରୀ କହିଥିଲେ । ତେବେ ଏହି ଅପଶବ୍ଦ ପାଇଁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର କ୍ଷମା ମାଗିଛନ୍ତି ।
ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର କେରି ଓ କିଫ୍ ଏବେ ନିଜର ଏହି ବୟାନ ପାଇଁ କ୍ଷମା ମାଗିଛନ୍ତି । କେରି କହିଛନ୍ତି, 'ମୁଁ ବିରାଟ କୋହଲିଙ୍କ ବ୍ୟବହାରକୁ ଅଂହକାରରେ ଭର୍ତ୍ତି ବୋଲି କହିଥିଲି । ମୁଁ ଏଥିପାଇଁ କ୍ଷମା ମାଗୁଛି । ମୁଁ ଏଭଳି କହିବାର ନଥିଲା । ତାଙ୍କ ପାଖରେ ସ୍ୱାଗ୍ ଅଛି ଏବଂ ସେହିଭଳି କ୍ରିକେଟ୍ ଖେଳନ୍ତି । ଯେତେବେଳେ ଅନ୍ୟ ଖେଳାଳିଙ୍କୁ ଏପରି କରିବା ଦେଖନ୍ତି, ସେ ସାମାନ୍ୟ ରାଗି ଯାଆନ୍ତି ଏବଂ ପ୍ରତିକ୍ରିୟାଶୀଳ ହୋଇଯାଆନ୍ତି ବୋଲି ମୁଁ ଅନୁଭବ କରୁଛି । କୋହଲି ଜଣେ କ୍ରେଜି କ୍ରିକେଟର ଏବଂ ତାଙ୍କ ଆକ୍ରାମକ ଖେଳ ହିଁ ତାଙ୍କୁ ପ୍ରତିଦ୍ୱନ୍ଦ୍ୱି କ୍ରିକେଟର କରେ ।'
ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଶୁକ୍ରବାର ଅଷ୍ଟ୍ରେଲିଆ ବିରୋଧରେ ବକ୍ସିଂ ଡେ ଟେଷ୍ଟରେ ଆଉଟ୍ ହୋଇ ଡ୍ରେସିଂ ରୁମକୁ ଫେରିବା ବେଳେ ହୁଟିଂର ସାମନା କରିଥିଲେ । ଅଷ୍ଟ୍ରେଲିଆ ଦର୍ଶକ ତାଙ୍କୁ ପରିହାସ ମଧ୍ୟ କରିଥିଲେ ।