ଶପଥ ସମୟରେ ଜୟ ଫିଲିସ୍ତିନ ନାରା ଦେଇ ଫସିଲେ ଓୱେସୀ, ସଂସଦର ସଦସ୍ୟତା ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ: ଲୋକସଭାରେ ଶପଥ ନେବା ବେଳେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ଜୟ ଫିଲିସ୍ତିନ ସ୍ଲୋଗାନ ଉପରେ ବିବାଦ ସୃଷ୍ଟି ହୋଇଛି । ଓୱେସୀଙ୍କ ସଂସଦର ସଦସ୍ୟତା ରଦ୍ଦ ପାଇଁ ଦାବି ଉଠୁଛି । ବରିଷ୍ଠ ଆଇନଜୀବୀ ହରି ଶଙ୍କର ଜୈନ ଏହା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି ଏବଂ ଓୱେସୀଙ୍କ ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରିଛନ୍ତି ।

ବରିଷ୍ଠ ଆଇନଜୀବୀ ହରି ଶଙ୍କର ଜୈନ ହାଇଦ୍ରାବାଦରୁ ପୁଣି ଥରେ ନିର୍ବାଚିତ ଅସଦୁଦ୍ଦିନ ଓୱେସୀଙ୍କ ଦ୍ୱାରା ଗୃହର ସଦସ୍ୟ ରୂପେ ଶପଥ ନେବା ସମୟରେ କହିଥିବା ଜୟ ଫିଲିସ୍ତିନ ଶବ୍ଦ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖିଛନ୍ତି । ସେ ଅନୁରୋଧ କରିଛନ୍ତି ଯେ ଶପଥ ନେବା ସମୟରେ ବିଦେଶ ଅର୍ଥାତ୍ ଫିଲିସ୍ତିନ ପ୍ରତି ନିଜର ନିଷ୍ଠା ଏବଂ ପାଳନକୁ ସ୍ୱୀକାର କରିବା କାରଣରୁ ସାଂସଦଙ୍କୁ ଅଯୋଗ୍ୟ କରାଯାଉ ।

ଉଲ୍ଲେଖଯୋଗ୍ୟ ଯେ ହାଇଦ୍ରାବାଦରୁ ପାଞ୍ଚ ଥର ନିର୍ବାଚିତ ଓୱେସୀ ଉର୍ଦ୍ଦୁରେ ଶପଥ ନେଇଥିଲେ । ଶପଥ ନେବା ପୂର୍ବରୁ ଦୁଆ ପଢିଥିଲେ । ଶପଥ ନେବା ପରେ ସେ ମୁସଲିମଙ୍କ ପାଇଁ ଏଆଇଏମଆଇଏମର ନାରା ମଜଭୁତ କରିବା ବ୍ୟତୀତ ନିଜ ରାଜ୍ୟ ତେଲଙ୍ଗାନା, ବାହା ସାହେବ ଭୀମରାଓ ଆମ୍ୱେଦକରଙ୍କ ପକ୍ଷରେ ନାରା ଦେଇଥିଲେ । ଏହାପରେ ଜୟ ଫିଲିସ୍ତିନ ନାରା ଲଗାଇଥିଲେ, ଯାହାକୁ ନେଇ କିଛି ସଦସ୍ୟ ଆପତ୍ତି ଉଠାଇଥିଲେ ଏବଂ ସଂସଦରେ ହଙ୍ଗାମା ସୃଷ୍ଟି ହୋଇଥିଲା । 

ଏହା ଉପରେ କେନ୍ଦ୍ର ମନ୍ତ୍ରୀ ଜି.କିଷନ ରେଡ୍ଡି ଏବଂ କିରେନ ରିଜିଜୁ ହାଇଦ୍ରାବାଦ ସାଂସଦଙ୍କୁ ସମାଲୋଚନା କରିବା ସହ ତାଙ୍କ ବୟାନକୁ ନିନ୍ଦା କରିଥିଲେ । କେନ୍ଦ୍ରମନ୍ତ୍ରୀ ରେଡ୍ଡି କହିଥିଲେ, ଏଆଇଏମଆଇଏମ ସାଂସଦ ଓୱେସୀଙ୍କ ଦ୍ୱାରା ଦିଆଯାଇଥିବା ଜୟ ଫିଲିସ୍ତିନ ନାରା ଭୁଲ ଅଟେ । ଏହା ଗୃହର ନିୟମ ବିରୁଦ୍ଧ । ସେ ଭାରତରେ ରହି ଭାରତ ମାତା କି ଜୟ କହୁନାହାନ୍ତି । ଲୋକ ଏହା ବୁଝିବା ଦରକାର ଯେ ସେ ଦେଶରେ ରହି ଅସାମ୍ୱିଧାନିକ କାମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.