ବଜେଟ୍ ପରେ ସରକାରଙ୍କ ୧୦୦ ଦିନର ଏଜେଣ୍ଡା ଉପରେ ମୋହର ମାରିବେ ପିଏମ୍ ମୋଦୀ !

Published By : Prameya-News7 Bureau | July 03, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସରକାରଙ୍କ ୧୦୦ ଦିନର ଏଜେଣ୍ଡା ଉପରେ ଜୋର ଦେଇ କାମ କରୁଛନ୍ତି । ନରେନ୍ଦ୍ର ମୋଦୀ ସରକାରଙ୍କ ୧୦୦ ଦିନିଆ ଏଜେଣ୍ଡାକୁ ଚୂଡାନ୍ତ ରୂପ ଦେବା ପାଇଁ ସଚିବଙ୍କ ୧୦ ବିଭିନ୍ନ କ୍ଷେତ୍ରୀୟ ସମୂହ ସହ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ପରିଯୋଜନା ଉପରେ କାମ କରୁଛନ୍ତି । ଏହାରି ଭିତରେ ଖବର ସାମନାକୁ ଆସୁଛି ଯେ ୨୦୨୪-୨୫ ପାଇଁ କେନ୍ଦ୍ର ବଜେଟ୍ ପରେ ସରକାରଙ୍କ ୧୦୦ ଦିନିଆ ଏଜେଣ୍ଡା ଚୂଡ଼ାନ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚିବମାନଙ୍କ ସହ ବୈଠକ କରିବାର ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ଶେଷ ସପ୍ତାହରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହୋଇପାରେ ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, 'ପ୍ରତ୍ୟେକ ମନ୍ତ୍ରଣାଳୟ ଦ୍ୱାରା ବଜେଟ୍ ପ୍ରସ୍ତାବ ପଠାଯାଇଛି । ମନ୍ତ୍ରଣାଳୟ ମଧ୍ୟ ୧୦୦ ଦିନିଆ ଏଜେଣ୍ଡା ଚୂଡାନ୍ତ କରିଛି । ବଜେଟ୍ ଉପସ୍ଥାପନା ପରେ ପ୍ରତ୍ୟେକ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସାମନାରେ ସମୀକ୍ଷା ପାଇଁ ଏଜେଣ୍ଡା ଉପସ୍ଥାପନ କରାଯିବ ।'

ସଂସଦର ଚାଲିଥିବା ସ୍ୱତନ୍ତ୍ର ଅଧିବେଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮ରୁ ୧୦ ମଧ୍ୟରେ ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତ କରିବାର ସମ୍ଭାବନା ରହିଛି । ଯାହା ତାଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ । ରିପୋର୍ଟ ଅନୁସାରେ ଜୁଲାଇ ୨୨ରେ ଅର୍ଥନୈତିକ ସର୍ଭେ ଏବଂ ଜୁଲାଇ ୨୩ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯିବ । ସେପଟେ ଅନ୍ୟଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୧୦୦ ଦିନିଆ ଏଜେଣ୍ଡା ମାଇଲ-ଷ୍ଟୋନ ହେବ, ଯାହା ସାମାଜିକ ସୁରକ୍ଷା ଯୋଜନାର ଲକ୍ଷ୍ୟକୁ ହାସଲ କରିବ ।

ଜୁନ୍ ୯ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ନେବା ପରେ ସେପ୍ଟେମ୍ୱର ୧୬ରେ ତାଙ୍କ ତୃତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରଣ ହେବ । ଏହାର ଗୋଟିଏ ଦିନ ପରେ ସେପ୍ଟେମ୍ୱର ୧୭ରେ ପିଏମ୍ ମୋଦୀ ୭୪ ବର୍ଷରେ ପଦାର୍ପଣ କରିବେ ।

କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୧୦୦ ଦିନ ଭିତରେ ୧.୫ ଲକ୍ଷ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଲକ୍ଷ୍ୟ ରଖିଛି । ସେହିପରି ଦୂରସଂଚାର ବିଭାଗ ସ୍ପେକ୍ଟ୍ରମ ବଣ୍ଟନ, ସାଟେଲାଇଟ୍ କମ୍ୟୁନିକେସନ ଏବଂ ଟେଲିକମ୍ ଆକ୍ଟ ୨୦୨୩କୁ ସଠିକ୍ ଭାବେ ଲାଗୁ କରିବା ଏହାର ଏଜେଣ୍ଡାରେ ରଖିଛି ।

ପିଏମ୍ ନରେନ୍ଦ୍ର ମୋଦୀ ଆଗାମୀ ଦିନର ଆଧୁନିକ ଭିତ୍ତିଭୂମି, ଗରିବଙ୍କୁ ୩ କୋଟି ଘର, ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବେ ବୋଲି ଘୋଷଣା କରିସାରିଛନ୍ତି । ଦେଶ ଆଗ ଲକ୍ଷ୍ୟରେ ତାଙ୍କ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନେବା ଜାରି ରଖିବେ ବୋଲି ବି କହି ସାରିଛନ୍ତି । ପୂର୍ବରୁ ପିଏମ୍ ମୋଦୀ ଜୋର ଦେଇ କହିସାରିଛନ୍ତି ଯେ ତାଙ୍କ ସରକାର ଭାରତକୁ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି କରିବା ପାଇଁ କାମ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.