ନିଲାମ ହେଉଛି PMଙ୍କୁ ମିଳିଥିବା ଗିଫ୍ଟ, ଆପଣ ବି କିଣିପାରିବେ, ହେଲେ କେମିତି ?

Published By : Prameya-News7 Bureau | September 20, 2024 IST

ନୂଆଦିଲ୍ଲୀ ୨୦/୯: ସବୁଠୁ ଶସ୍ତା ଉପହାର ୭ଶହ ଟଙ୍କା । ମହଙ୍ଗା ଉପହାର ମୂଲ୍ୟ ୧୦ ଲକ୍ଷ । ଆପଣ ବି ନେଇପାରିବେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର । pmmementos.gov.in/ଲିଙ୍କରେ କ୍ଲିକ କରନ୍ତୁ । ଆଉ ନିଜ ନାଁ ପଞ୍ଜିକରଣ କରି ନିଲାମ ପ୍ରକ୍ରିୟାରେ ଯୋଡି ହୁଅନ୍ତୁ।ଇ-ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ମିଳିଥାଏ ଅନେକ ଗିଫ୍ଟ ।ପ୍ରତିବର୍ଷ ସେ ସବୁ ଗିଫ୍ଟର ନିଲାମ ହୋଇଥାଏ । ଚଳିତ ବର୍ଷ ମଧ୍ୟ ମୋଦିଙ୍କ ଉପହାରର ଚାଲିଛି ନିଲାମ । ମୋଦିଙ୍କୁ ମିଳିଥିବା ୬ଶହରୁ ଅଧିକ ଉପହାରକୁ ଲୋକେ କିଣିପାରିବେ । ଉପହାର ସହ ସ୍ମାରକୀକୁ ମଧ୍ୟ ନିଲାମରେ ସାମିଲ କରାଯାଇଛି । 

ସେପ୍ଟେମ୍ବର ୧୭ରୁ ମୋଦିଙ୍କୁ ମିଳିଥିବା ଉପହାର ଓ ସ୍ମାରକୀର ଇ-ନିଲାମ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ୬ଶହରୁ ଅଧିକ ଉପହାର ଓ ସ୍ମାରକୀକୁ ଅନଲାଇନରେ ନିଲାମ କରାଯାଉଛି । ମୋଦିଙ୍କୁ ମିଳିଥିବା ୬ଶହଟି ଉପହାର ମଧ୍ୟରେ ଟୋପି,ଜୋତା, ବ୍ୟାଡମିଣ୍ଟନ,ପ୍ରଭୁ ରାମ-ଲକ୍ଷ୍ଣଣ-ସୀତାଙ୍କ ମୂର୍ତ୍ତି,ରାମ ମନ୍ଦିର ମଡେଲ,କଳସ ସମେତ ଅନ୍ୟାନ୍ୟ ଜିନିଷ ରହିଛି ।

ପ୍ୟାରିସ ପାରା ଅଲିମ୍ପିକ୍ସରେ ସିଲଭର ବିଜେତା ନିଶାଦ କୁମାରଙ୍କ ସ୍ପୋର୍ଟ୍ସ ଜୋତାର ଦାମ୍‌ ରହିଛି ୧୦ ଲକ୍ଷ । ସିଲଭର ବିଜେତା ଶରଦ କୁମାରଙ୍କ ଟୋପିର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି । ବ୍ରୋଞ୍ଜ ମେଡାଲ ବିଜେତା ଅଜିତ ସିଂଙ୍କର ସ୍ପୋର୍ଟ୍ସ ଜୋତାର ଦାମ୍‌ ରହିଛି ୮ ଲକ୍ଷ ୨୮ ହଜାର । ରାମ ମନ୍ଦିରର ପ୍ରତିକୃତି ୬ ଲକ୍ଷ ରହିଛି । କାଂସ୍ୟ ପଦକ ବିଜେତା ନିତ୍ୟା ଶ୍ରୀ ସିଭାନଙ୍କର ବ୍ୟାଡମିଣ୍ଟନ ର୍ୟାକେଟର ଦାମ୍‌ ସାଢେ ୫ ଲକ୍ଷ ରଖାଯାଇଛି ।



ମୟୁରର ଏକ ସୁନ୍ଦର ମୂର୍ତ୍ତି ରହିଛି ଯାହାର ଦାମ ୩ ଲକ୍ଷ ୩୦ ହଜାର ରହିଛି । ସେହିପରି ରୁପାର ଏକ ବୀଣା ଲକ୍ଷେ ୬୫ ହଜାର ମୂଲ୍ୟର । ୧୨ଶହ ଟଙ୍କାରେ ମଧ୍ୟ ଅନେକ ଉପହାର ରହିଛି । ସେହିପରି ସବୁଠୁ ଶସ୍ତା ଉପହାର ୭ଶହ ଟଙ୍କାରେ ମିଳୁଛି । 

ପ୍ରଧାନମନ୍ତ୍ରୀ ‘X’ ରେ ପୋଷ୍ଟ କରି କହିଛନ୍ତି ପ୍ରତି ବର୍ଷ ସାର୍ବଜନୀନ କାର୍ଯ୍ୟକ୍ରମରେ ମିଳୁଥିବା ବିଭିନ୍ନ ସ୍ମାରକୀର ନିଲାମ କରାଯାଏ । ଗଙ୍ଗା ନଦୀର ସଂରକ୍ଷଣ ଓ ନବୀକରଣ ପାଇଁ ନମାମୀ ଗଙ୍ଗା ଏକ ଯୁଗାନ୍ତକାରୀ ପଦକ୍ଷେପ । ନିଲାମରୁ ମିଳୁଥିବା ଅର୍ଥ ଏଥିରେ ଖର୍ଚ୍ଚ କରାଯାଏ । ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ନିଲାମ ପ୍ରକ୍ରିୟା ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ । ୨୦୨୩ ମସିହାରେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ୯୧୨ଟି ଉପହାର ନିଲାମ ହୋଇଥିଲା । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.