ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୁଷ ଗସ୍ତରୁ ବହୁ କ୍ଷେତ୍ରରେ ‘ସକାରାତ୍ମକ ପରିଣାମ’ର ଆଶା, ମସ୍କୋରେ ଭାରତୀୟ ରାଷ୍ଟ୍ରଦୂତଙ୍କ ବୟାନ

Published By : Prameya-News7 Bureau | July 08, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମସ୍କୋ ଗସ୍ତ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କ ସହ ତାଙ୍କ ବାର୍ତ୍ତା ଦ୍ୱିପାକ୍ଷିକ ବ୍ୟବସାୟ ତଥା ଆର୍ଥିକ ସମ୍ପର୍କ, ବିଜ୍ଞାନ ଏବଂ ପ୍ରଯୁକ୍ତି ଅନୁସନ୍ଧାନର କିଛି ନୂଆ କ୍ଷେତ୍ର ଉପରେ କେନ୍ଦ୍ରୀତ ରହିବ । ରୁଷରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିନୟ କୁମାର ଏହା କହିଛନ୍ତି । ଏହାସହ ସେ ବିଶ୍ୱାସ ରଖିଛନ୍ତି ଯେ ଦୁହିଁଙ୍କ ବାର୍ତ୍ତାରୁ ଅନେକ କ୍ଷେତ୍ରରେ ସକାରାତ୍ମକ ପରିଣାମ ସାମନାକୁ ଆସିବ ।

ବିଦେଶ ମନ୍ତ୍ରଣାଳୟ ଗୁରୁବାର ଏହି ଗୁରୁତ୍ୱପୂର୍ଣ୍ଣ ଯାତ୍ରା ବାବାଦରେ ସୂଚନା ଦେଇ କହିଥିଲା ଯେ ଦୁଇ ନେତା ଦୁଇ ଦେଶ ମଧ୍ୟର ସମ୍ପର୍କକୁ ସମ୍ପୂର୍ଣ୍ଣ ସମୀକ୍ଷା କରିବେ । ପରସ୍ପର ହିତର ସମକାଳୀନ କ୍ଷେତ୍ରୀୟ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ବିଚାରର ଆଦାନ-ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିଜ ଦୁଇ ଦିନିଆ ଯାତ୍ରା ଆରମ୍ଭ କରିଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗର ସମୀକ୍ଷା ସହ ବୈଶ୍ୱିକ ପ୍ରସଙ୍ଗରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରି ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର କ୍ଷେତ୍ର ପାଇଁ ସହାୟକ ଭୂମିକା ପାଇଁ ଉତ୍ସୁକ ଅଟନ୍ତି ।

ରୁଷରେ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର କହିଛନ୍ତି, 'ବ୍ୟବସାୟ, ଆର୍ଥିକ ଏବଂ ନିବେଶ ସହଯୋଗ ତଥା ସମ୍ପର୍କରେ ବ୍ୟାପକ ଆଲୋଚନା ଏହି ଯାତ୍ରାର ମୁଖ୍ୟ କେନ୍ଦ୍ର ରହିବ ।' କୁମାର କହିଛନ୍ତି, 'ଏହା ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବାର୍ଷିକ ବୈଠକର ଅଂଶ ଅଟେ ଏବଂ ଏଥିପାଇଁ ଏହାର ଏଜେଣ୍ଡା ଆମ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ପ୍ରସଙ୍ଗ ଉପରେ କେନ୍ଦ୍ରୀତ ହେବ ।'

ପ୍ରାୟ ୫ ବର୍ଷରେ ଏହା ପିଏମ୍ ମୋଦୀଙ୍କ ପ୍ରଥମ ରୁଷ ଯାତ୍ରା ଅଟେ । ଶେଷ ଥର ପାଇଁ ୨୦୧୯ରେ ସେ ରୁଷ ଯାତ୍ରା କରିଥିଲେ । ଭାରତ ଏବଂ ରୁଷରେ ପାଳି ଅନୁସାରେ ୨୧ ବାର୍ଷିକ ଶିଖର ସମ୍ମିଳନୀ ଆୟୋଜନ ହୋଇସାରିଛି । ଶେଷ ଥର ଦୁଇ ଦେଶ ମଧ୍ୟରେ ବାର୍ଷିକ ସମ୍ମିଳନୀ ୨୦୨୧ ଡିସେମ୍ୱରରେ ନୂଆଦିଲ୍ଲୀରେ ଆୟୋଜନ କରାଯାଇଥିଲା । ଏହି ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଯାତ୍ରା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.