ଭୀଷଣ ମରୁଡ଼ିର ସାମନା କରୁଛି ବ୍ରାଜିଲ, ୧୨୨ ବର୍ଷର ସର୍ବନିମ୍ନ ସ୍ତରରେ ଆମାଜନ ବର୍ଷାବଣ ପୋର୍ଟ ଜଳସ୍ତର

Published By : Prameya-News7 Bureau | October 05, 2024 IST

ନୂଆଦିଲ୍ଲୀ: ଆମାଜନ୍ ବର୍ଷାବଣର ସବୁଠୁ ବଡ଼ ସହର ମନୌସରେ ରିଭର୍ ପୋର୍ଟ ୧୨୨ ବର୍ଷର ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଛି । ଯାହାକୁ ନେଇ ଭୂ-ଜଳ ଏବଂ ପରିବେଶବିତ୍‌ଙ୍କ ମଧ୍ୟରେ ଚିନ୍ତା ବଢିଛି । ୧୯୦୨ ମସିହା ପରେ ରିଭର୍ ପୋର୍ଟର ଜଳସ୍ତର ପ୍ରଥମ ଥର ପାଇଁ ନିଜର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଭୟଙ୍କର ମରୁଡ଼ି ପାଇଁ ଜଳମାର୍ଗ ନଷ୍ଟ ହୋଇଛି । ପୋର୍ଟରେ ଜଳସ୍ତର କମିବା କାରଣରୁ ଖାଦ୍ୟାନ୍ନ ରପ୍ତାନୀ ଏବଂ ଆବଶ୍ୟକ ଯୋଗାଣ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି, ଯାହା ଏହି କ୍ଷେତ୍ରର ଜୀବନ ରେଖା ମଧ୍ୟ ଅଟେ ।

କୁହାଯାଉଛି ଯେ ସ୍ୱାଭାବିକଠାରୁ କମ ବର୍ଷା ଯୋଗୁଁ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି । ଏପରିକି ବର୍ଷା ଋତୁରେ ବି ଏଠାରେ କମ ବର୍ଷା ହୋଇଛି । ଗତ ବର୍ଷଠାରୁ ଆମାଜନ ଏବଂ ଦକ୍ଷିଣ ଆମେରିକାର ଅଧିକାଂଶ ଭାଗ ଏଥିରେ ପୀଡ଼ିତ ରହିଛି । ବ୍ରାଜିଲ ଏବଂ ବୋଲିଭିଆରେ ଏକ ଦଶନ୍ଧିରେ ସବୁଠୁ ଭୀଷଣ ଜଙ୍ଗଲ ନିଆଁ ଲାଗିଛି । ଅଧ୍ୟୟନକାରୀଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ଅଟେ । ବୈଜ୍ଞାନିକଙ୍କ ଅନୁମାନ ଯେ ଆମାଜନ କ୍ଷେତ୍ର ୨୦୨୬ ସୁଦ୍ଧା ଆଦ୍ରତା ସ୍ତରକୁ ସମ୍ପୂର୍ଣ୍ଣ ଠିକ୍ କରିପାରିବ ନାହିଁ ।

ଗତ ବର୍ଷର ମରୁଡ଼ି ଏକ ମାନବୀୟ ସଂକଟ ହୋଇଥିଲା, କାରଣ ନଦୀ ଉପରେ ନିର୍ଭର ଲୋକ ଖାଦ୍ୟ, ପାଣି ନପାଇ ଫସି ରହିଥିଲେ । ତେବେ ଚଳିତ ବର୍ଷ ଅଧିକାରୀମାନେ ପୂର୍ବରୁ ହିଁ ଆଲର୍ଟରେ ଅଛନ୍ତି । ଅନୁମାନ କରାଯାଉଛି ଯେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ନଦୀର ଜଳସ୍ତର ଆହୁରି କମ ହୋଇପାରେ ।

ରିୟୋ ନୀଗ୍ରୋ ଆମାଜନ ନଦୀର ଏକ ପ୍ରମୁଖ ସହାୟକ ନଦୀ, ଯାହା ଆୟତନ ହିସାବରେ ଦୁନିଆର ସବୁଠୁ ବଡ଼ ନଦୀ । ପାଣିର ମିଳନ ନିକଟରେ ରହିଛି ଏହି ବନ୍ଦର, ଯେଉଁଠାରେ ନୀଗ୍ରୋର କଳା ପାଣି ମାଟିଆ ରଙ୍ଗର ସୋଲିମୋସରେ ମିଶିଥାଏ, ଯାହା ଚଳିତ ସପ୍ତାହରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ରାଷ୍ଟ୍ରୀୟ ବିପର୍ଯ୍ୟୟ ନିରୀକ୍ଷଣ ଏଜେନ୍ସି ସେମାଡେନ ପୂର୍ବରୁ ଏହି ମରୁଡ଼ି ସ୍ଥିତିକୁ ୧୯୫୦ ଦଶନ୍ଧି ପରେ ବ୍ରାଜିଲ୍‌ର ସବୁଠୁ ଖରାପ ସ୍ଥିତି ବୋଲି କହିସାରିଛି । ଅତ୍ୟଧିକ ଶୁଖିଲା ଦକ୍ଷିଣ ଆମେରିକାର ଅଧିକାଂଶ ଭାଗକୁ ପ୍ରଭାବିତ କରୁଛି । ପାରାଗ୍ୱେ ନଦୀ ମଧ୍ୟ ଆଜି ଯାଏର ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଛି । ଏହି ନଦୀ ବ୍ରାଜିଲରୁ ଆରମ୍ଭ ହୋଇ ପାରାଗ୍ୱେ ଏବଂ ଆର୍ଜେଣ୍ଟିନା ଦେଇ ଆଣ୍ଟଲାଟିକରେ ପ୍ରବାହିତ ହୋଇଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.