ନୂଆଦିଲ୍ଲୀ: ବିପିଏସସି ପରୀକ୍ଷା ପୁଣି କରାଇବା ଦାବିକୁ ନେଇ ବିହାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିବା ଆଶାୟୀଙ୍କ ଉପରକୁ ଲାଠିଚାର୍ଜ କରିଛି ପୋଲିସ। ରବିବାର ଆଶାୟୀମାନେ ବିପିଏସସି ପରୀକ୍ଷା ପୁଣି କରାଯାଉ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ବାହାରିଥିଲେ। ହେଲେ ପୋଲିସ ବାଟରେ ସେମାନଙ୍କୁ ଅଟକାଇବା ସମୟରେ ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ଏହି ଆକ୍ସନ ପୋଲିସ ଓ ଆଶାୟୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରେ ହୋଇଛି। ପୋଲିସ ଛାତ୍ରଙ୍କୁ ଅଟକାଇବା ପାଇଁ ପାଣି ମାଡ଼ ମଧ୍ୟ କରିଛି। ମୁଖ୍ୟମନ୍ତ୍ରୀଙ୍କ ଘର ଅଭିମୁଖେ ବାହାରିବା ପୂର୍ବରୁ ଏହି ଛାତ୍ର ଗାନ୍ଧୀ ମଇଦାନରେ ଏକାଠି ହୋଇଥିଲେ। ଏଠାରୁ ଛାତ୍ର ସଂସଦ ଡକାଯାଇଥିଲା। ଆଉ ଛାତ୍ର ସଂସଦରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯିବାକୁ ନିଷ୍ପତ୍ତି ହୋଇଥିଲା। ଆନ୍ଦୋଳନର ନେତୃତ୍ବ ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋର କରୁଛନ୍ତି।
ତେବେ ବିପିଏସସି ଛାତ୍ରଙ୍କ ରାଲି ସମୟରେ ମୁଖ୍ୟମନ୍ତ୍ରୀ ଘରେ ନଥିଲେ। ସୂଚନା ଅନୁଯାୟୀ, ନୀତୀଶ କୁମାର, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରିବାରକୁ ଭେଟିବା ପାଇଁ ଦିଲ୍ଲୀରେ ଅଛନ୍ତି। ପୋଲିସ ସହ ଧସ୍ତାଧସ୍ତି କାରଣରୁ କିଛି ଛାତ୍ର ଆହତ ହୋଇଥିବା କୁହାଯାଉଛି। ତେବେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ସରକାର ମଧ୍ୟ କଥାବାର୍ତ୍ତା ପାଇଁ ରାଜି ହୋଇଛନ୍ତି। ଏଥିପାଇଁ ଏକ କମିଟି ଗଠନ ହେବ ଯାହା ଛାତ୍ରଙ୍କ ସମସ୍ୟାକୁ ଶୁଣିବେ ଏହା ପରେ ଆଗାମୀ ନିଷ୍ପତ୍ତି ନିଆଯିବ।
ସେପଟେ ପାଟନା ଏସପି ସ୍ବାତୀ ସେହରାଓ୍ବତ କହିଛନ୍ତି ଛାତ୍ରଙ୍କ ଉପରେ ଲାଠି ଚାର୍ଜ କରାଯାଇନାହିଁ। ସେ କହିଛନ୍ତି ଆମେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ। ବୁଝାଇବାକୁ ଚେଷ୍ଟା କରାଯାଉଛି। ଏଥିପାଇଁ ପାଣି ମାଡ଼ କରାଯାଇଛି। ଛାତ୍ରମାନେ ପୋଲିସ ସହ ଧସ୍ତା ଧସ୍ତି କରିଛନ୍ତି। ଏବେ ସ୍ଥାନ ଖାଲି କରାଯାଉଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ରାଲିରେ ଯାଉଥିବା ଛାତ୍ରଙ୍କୁ ମଝିରେ ଅଟକାଇଛି।
ଦିନକ ପୂର୍ବରୁ ଅର୍ଥାତ ଶନିବାର ପ୍ରଶାନ୍ତ କିଶୋର ବିପିଏସସି ଛାତ୍ରଙ୍କ ଭେଟିବା ପାଇଁ ପାଟନା ପହଞ୍ଚିଥିଲେ। ପ୍ରଶାନ୍ତ କିଶୋରଙ୍କ ସହ ସାକ୍ଷାତାକାର ପରେ ଛାତ୍ରମାନେ ରାଜଭବନ ରାଲି ସ୍ଥଗିତ କରିଥିଲେ।