ଆନନ୍ଦପୁର ୨୨।୦୧ : ଜନସେବା କେନ୍ଦ୍ରରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ।ଜନସେବା କେନ୍ଦ୍ରକୁ ଆସିଥିବା ନାବାଳିକାକୁ ଜନସେବା କେନ୍ଦ୍ର ମାଲିକ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ଆସିଛି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
କେନ୍ଦୁଝର ଆନନ୍ଦପୁର ଉପକଣ୍ଡ ଧକୋଠା ଜନସେବା କେନ୍ଦ୍ରରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଅଞ୍ଚଳର ଜଣେ ଅବିଭାବକ ଆଧାର କାର୍ଡରେ ସଂଶୋଧନ ପାଇଁ ନିଜ ୧୧ ବର୍ଷୀୟ ଝିଅକୁ ନେଇ ଜନସେବା କେନ୍ଦ୍ରରେ ପହଞ୍ଚିଥିଲେ । ଆଧାରକାର୍ଡ ବାୟୋମେଟ୍ରିକ୍ ସଂଶୋଧନ ପାଇଁ ଜନସେବା କେନ୍ଦ୍ର ମାଲିକ ସୁଜିତ କୁମାର ସାହୁଙ୍କୁ କହିଥିଲେ । ହେଲେ ସୁଜିତ୍ ଝିଅ ଆଧାରରେ ଥିବା ଜନ୍ମ ତାରିଖ ଠିକ୍ ଅଛି କି ନାହିଁ, ତାହାକୁ ବୁଝିବାକୁ ବାପାଙ୍କୁ ସ୍କୁଲ ଶିକ୍ଷକ ପାଖକୁ ପଠାଇଥିଲେ । ବାପା ସ୍କୁଲକୁ ଯିବା ପରେ ଝିଅକୁ ଏକାକି ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମୟରେ ଝିଅ କୌଶଳକ୍ରମେ ଖସିଯାଇଥିଲେ । ଆଉ ପାଟି କରିବାକୁ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ ହୋଇଥିଲା । କିଛି ସମୟ ପରେ ବାପା ଘଟଣାସ୍ଥଳରେ ପହଞ୍ଚିବାରୁ ଝିଅକୁ ନେଇ ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସୁଜିତ ସାହୁକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।