ସ୍ୱଚ୍ଛ ସହରର ବଦଳିଲା ଏୟାର କ୍ୱାଲିଟି, ନିଶ୍ୱାସ ନେବା ହେଲା କଷ୍ଟ

Published By : Prameya-News7 Bureau | November 02, 2024 IST

ଭୁବନେଶ୍ୱର ୦୨/୧୧: ଭୁବନେଶ୍ୱର ବାୟୁମଣ୍ଡଳ କାଲି ସନ୍ଧ୍ୟା ଯାଏଁ ଠିକଠାକ ଥିଲା ।  ରାତିରେ ଦୁଇ ଘଣ୍ଟା ବାଣ ଫୁଟିବା  ପରେ ହଠାତ୍‌ ବିଗିଡ଼ିଗଲା ପବନ ।  ନୂଆପଲ୍ଲୀ, ୟୁନିଟ୍‌-୮, ପଳାଶୁଣି  ଅଞ୍ଚଳରେ ପବନ ବାରୁଦିଆ  ଗନେ୍ଧଇଲା । ନିମ୍ନସ୍ତର ଖସିଗଲା ବାୟୁର  ମାନ । ଏକ୍ୟୁଆଇ (ଏୟାର କ୍ୱାଲିଟି  ଇନଡେକ୍ସ) ପାଲଟିଗଲା ନିମ୍ନମାନର । ଏଥର ଦୀପାବଳିରେ ଡବଲ୍‌  ବାଣ ଫୁଟାଇଛନ୍ତି ଅନେକ ।  

ଗୁରୁବାର ଓ ଶୁକ୍ରବାରରେ ବାଣ  ମନଇଚ୍ଛା ଫୁଟୁଛି । ପୁଲିସ କି  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେହି  କିଛି କରିପାରିନାହାନ୍ତି । ସବୁ ହାତ  ବାନ୍ଧି ବସିଛନ୍ତି । ଦୀପାବଳିର ୨  ଘଣ୍ଟା ଆତସବାଜି ଅବଧି ଦୁଇ ଦିନ  ମନାଇଛନ୍ତି ରାଜ୍ୟବାସୀ । ପରିଣାମ ଭୁବନେଶ୍ୱର ସମେତ ବଡ଼ବଡ଼ ସହର ବାରୁଦିଆ ଗନ୍ଧାଉଛି । କେବଳ ଭୁବନେଶ୍ୱର  ନୁହେଁ, ଅନୁଗୁଳ, ତାଳଚେରରେ  ବି ଏକ୍ୟୁଆଇ ନିମ୍ନ ସ୍ତରକୁ ଖସି  ଯାଇଛି ଦୀପାବଳି ଆତସବାଜିରେ ।  

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  ତଥ୍ୟ କହୁଛି, ଶୁକ୍ରବାର ଅପରାହ୍ନ ୪ଟାବେଳେ ତାଳଚେର ଏକ୍ୟୁଆଇ ୨୩୭, ଅନୁଗୁଳ ୨୫୯ ଥିଲା । ବାୟୁର ଏ ମାନ ଖରାପ ଶ୍ରେଣୀ ଭାବେ ଚିହ୍ନଟ କରାଯାଇଛି । ଏଭଳି ପ୍ରଦୂଷିତ ବାୟୁମଣ୍ଡଳରେ  ଶ୍ୱାସକ୍ରିୟାରେ କଷ୍ଟ ହୋଇଥାଏ । ଶ୍ୱାସ ରୋଗୀଙ୍କ ପାଇଁ ପରିସ୍ଥିତି ସାଂଘାତିକ ହୋଇ ପଡ଼େ । ଭୁବନେଶ୍ୱର, କଟକ ସମେତ ବିଭିନ୍ନ  ସ୍ଥାନରେ ବର୍ଷା ଯୋଗୁ ବାୟୁମଣ୍ଡଳରେ ପ୍ରଦୂଷଣ ଚାଦର କିଛି  ମାତ୍ରାରେ ହଟିଛି ।  

ଶୁକ୍ରବାର ଅପରାହ୍ନ ୪ଟାରେ ବାୟୁମଣ୍ଡଳରେ ଏକ୍ୟୁଆଇ  ସ୍ତର ବାରିପଦାରେ ୧୫୯, ରାଉରକେଲାରେ ୧୬୨, ବଡ଼ବିଲରେ  ୧୩୮, ଭୁବନେଶ୍ୱରରେ ୧୩୫, ବାଲେଶ୍ୱରରେ ୧୦୪, କଟକ  ୧୦୧ ଥିଲା । ଏକ୍ୟୁଆଇ ୧୦୦ରୁ ୨୦୦ ଭିତରେ ରହିଲେ ଏହାକୁ  ମଧ୍ୟମ ଧରଣର ପ୍ରଦୂଷଣ କୁହାଯାଏ । ଏଭଳି ପରିବେଶ  ଫୁସଫୁସ ରୋଗୀ, ହୃଦରୋଗୀ, ଶିଶୁଙ୍କ ପାଇଁ ଶ୍ୱାସକ୍ରିୟାରେ  ସମସ୍ୟା ଆଣିପାରେ ।  ଭାଗ୍ୟ ଭଲ, ସକାଳେ ଭୁବନେଶ୍ୱର, କଟକ ସମେତ ବିଭିନ୍ନ  ଅଞ୍ଚଳରେ କିଛି କିଛି ବର୍ଷା ହୋଇଛି । 

ବର୍ଷା ଯୋଗୁ ବାୟୁମଣ୍ଡଳରେ  ଜମାଟ ବାନ୍ଧି ଥିବା ଏସବୁ ବିଷାକ୍ତ ଗ୍ୟାସ ଓ ଧୂଳିକଣା ଆସ୍ତରଣ  ଖସିବା ସହ ପ୍ରଦୂଷଣ ସ୍ତର କମିଥିଲା । ମାତ୍ର ଏ ବର୍ଷ ଲୋକେ  ଦୁଇଦିନ ଦୀପାବଳି ପାଳନ କରୁଥିବାରୁ ପୁଣି ରାତିରେ ପ୍ରବଳ  ଆତସବାଜି ହୋଇଛି । ଏଥିପାଇଁ ରାଜଧାନୀରେ ପ୍ରଦୂଷଣର ମାତ୍ରା ପୁଣି ବଢ଼ିବାକୁ ଲାଗିଲା । 

ରାତି ୮ଟାବେଳେ ଭୁବନେଶ୍ୱର  ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଏକ୍ୟୁଆଇ ୧୬୦ ଓ ପଟିଆରେ  ୧୨୦ ଛୁଇଁଗଲା ।  ଅନୁଗୁଳ ସହରରେ ଗୁରୁବାର ସନ୍ଧ୍ୟା ଏକ୍ୟୁଆଇ ୯୧ ଥିଲା ।  ରାତି ୧୨ଟାବେଳକୁ ୧୬୫, ଭୋର ୫ଟାରେ ୨୦୯ । ଆଜି ରାତି  ୮ଟାରେ ୨୪୦ । ତାଳଚେରରେ ଗୁରୁବାର ସନ୍ଧ୍ୟା ୬ଟାରେ ଥିଲା  ୧୨୫, ଆଜି ରାତି ୮ଟାରେ ୨୩୮ । ସବୁଠି ଏଭଳି ଅବସ୍ଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.