ସଜେଇ ହୋଇଛି ମନ୍ଦିରମାଳିନୀ ସହର, ପ୍ରବାସୀ ସମ୍ମିଳନୀ ପାଇଁ ଝଲସୁଛି ରାଜଧାନୀ

Published By : Prameya-News7 Bureau | January 07, 2025 IST

ଭୁବନେଶ୍ୱର ୦୭।୦୧ : କମ୍ପିବ ପରିବେଶ। ରଙ୍ଗୀନ ହେବ ସନ୍ଧ୍ୟା। ବିଭିନ୍ନ କୋଣରୁ ଶୁଭିବ ସଙ୍ଗୀତର ଝଙ୍କାର। ନୃତ୍ୟରେ ନାଚିବ ସହର । ବିଶ୍ୱ ଦେଖିବ ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ। ସେଥିଲାଗି ପୂରା ପ୍ରସ୍ତୁତ ରାଜଧାନୀ ଭୁବନେଶ୍ୱର। ସଜେଇ ହୋଇଛି ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର । ଯୁଆଡ଼େ ଯିବେ, ଯୁଆଡ଼େ ଦେଖିବେ ଚିତ୍ରକଳା ଆଉ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି। 

ପ୍ରବାସୀ ଭାରତ ଦିବସ ସମ୍ମିଳନୀ ପାଇଁ ଭୁବନେଶ୍ବର ପ୍ରସ୍ତୁତ। ବୁଧବାରଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତ ଦିବସ ସମ୍ମିଳନୀ। ସେଥିପାଇଁ ପ୍ରସ୍ତୁତିକୁ ଚୂଡାନ୍ତ ସ୍ପର୍ଶ ଦିଆଯାଉଛି । ଆଗରୁ ଆଦିବାସୀ ମେଳା, ଚିଲିକା ବିହଙ୍ଗ ଉତ୍ସବ ସହ ନାଇଟ୍ ବଜାର, ଏକାମ୍ର ଉତ୍ସବ, ପାର୍କ ଉତ୍ସବ ଆରମ୍ଭ ହୋଇସାରିଛି। ଆଜିଠୁ ଏହି ମହାକୁମ୍ଭର ମହାପର୍ବରେ ଯୋଡ଼ି ହେବାକୁ ଯାଉଛି ଆଉ କିଛି ଉତ୍ସବ। ଭୁବନେଶ୍ବର ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ଅନୁଷ୍ଠିତ ହେବ ରାଜାରାଣୀ ସଙ୍ଗୀତ ମହୋତ୍ସବ, ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ମୁକ୍ତେଶ୍ଵର ଓଡ଼ିଶୀ ନୃତ୍ୟ ମହୋତ୍ସବ ଏବଂ ରବୀନ୍ଦ୍ର ମଣ୍ଡପଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଆୟୋଜନ ହୋଇଛି। ଏକାମ୍ରକାନନରେ ଆଜିଠାରୁ ୫ ଦିନିଆ ପୁଷ୍ପମେଳା। କଳାକାରଙ୍କ ରିହର୍ସଲରେ କମ୍ପୁଛି ଜନତା ମଇଦାନ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଚୂଡାନ୍ତ ପ୍ରସ୍ତୁତି। 

ସେପଟେ ପୁରୀ ବେଳାଭୂମିରେ ଗୁଡ଼ି ଉତ୍ସବ ଏବଂ ପଲ୍ଲିଶ୍ରୀ ମେଳା। ପ୍ରବାସୀ ଭାରତୀୟ ଦିବସ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ଭୁବନେଶ୍ବରରେ ପହଞ୍ଚିଛନ୍ତି । ସୋମବାର ରାତି ସୁଦ୍ଧା ୨ ଶହ ପ୍ରବାସୀ ମଧ୍ୟ ପହଞ୍ଚିଛନ୍ତି । ବୁଧବାର ସକାଳ ୯ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ। 

  • PravasiBharatiyaDivas2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.