ପଶ୍ଚିମବଙ୍ଗ ଟ୍ରେନ୍‌ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି, ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

Published By : Prameya-News7 Bureau | June 17, 2024 IST

କୋଲକାତା: ପଶ୍ଚିମବଙ୍ଗର ନୂଆ ଜଲପାଇଗୁରିରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। କଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଏଥି ଯୋଗୁଁ କଞ୍ଚନଜଙ୍ଗା ଏକ୍ସପ୍ରେସର ଅନେକ ବଗି ଲାଇନଚ୍ୟୁତ ହୋଇଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶା କରାଯାଉଛି। 

ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ୍ସରେ ସେ ଲେଖିଛନ୍ତି ଯେ ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣା ଦୁଃଖଦାୟକ। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ଅଧିକାରୀଙ୍କ ସହ କଥା ହୋଇ ପରିସ୍ଥିତିର ଅନୁଧ୍ୟାନ କରିଛି। ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ମଧ୍ୟ ଦୁର୍ଘଟଣା ସ୍ଥଳକୁ ଯାଉଛନ୍ତି।

ସେପଟେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି।

NFR ଜୋନରେ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ରେଳବାଇ, NDRF ଏବଂ SDRF ମିଳିତ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି। ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୋମବାର ସକାଳ ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମାଲଗାଡି ଟ୍ରେନ୍ ସିଲଦା ଯାଉଥିବା କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରେନର ବଗିଗୁଡିକ ଅନେକ ଫୁଟ ଉପରକୁ ଉଠିଯାଇଥିଲା। 

ଉତ୍ତର-ପୂର୍ବ ରେଳବାଇ କହିବା କଥା ନୂଆ ଜଲପାଇଗୁଡିର ରଙ୍ଗାପାନିରେ ଟ୍ରେନ୍ ଦୁର୍ଘଟଣାର ସାମ୍ନାକୁ ଆସିଛି । ଦୁର୍ଘଟଣା ପରେ ପ୍ରବଳ ବର୍ଷା ମଧ୍ୟରେ ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.