ଉତ୍କର୍ଷ ଓଡ଼ିଶା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ, ୨୮ରେ ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 04, 2025 IST

ଭୁବନେଶ୍ୱର ୪।୧: ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନ କରି ଜଣାଇଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ତୃଟିଶୂନ୍ୟ ଭାବରେ ଓ ଆକର୍ଷଣୀୟ ଭାବରେ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକ ମାନଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଦୀର୍ଘ ସମୟ ପାଇଁ ଓଡିଶା ପୁଞ୍ଜିନିବେଶକ ମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଉପସ୍ଥାପନାରୁ ଜଣାଯାଇଛି ଯେ, ଜାନୁଆରୀ ୨୭ ତାରିଖରେ କନଫେଡେରେସନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଏହାର ନ୍ୟାସନାଲ ଏକଜିକ୍ୟୁଟିଭ୍ କାଉନସିଲ୍‌ର ବୈଠକ ଅନୁଷ୍ଠିତ ହେବ ।  ଜାନୁଆରୀ ୨୮-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରୀ ସେସନ, ୧୬ଟି ସେକ୍ଟରାଲ୍ ସେସନ୍ ଓ ୪ଟି ରାଉଣ୍ଡ ଟେବୁଲ୍ କନଫରେନସ୍  ଅନୁଷ୍ଠିତ ହେବ । ଏହି ଦୁଇ ଦିନରେ ପ୍ରାୟ ୩୦୦୦ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡିତ ବ୍ୟକ୍ତିମାନେ ଯୋଗଦେବେ ।   

୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଆସି ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀ ମାନଙ୍କୁ ଉଦବୋଧନ ଦେବେ । ଏହି ଦୁଇ ଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବା ସହିତ ବିଶିଷ୍ଟ ଶିଳ୍ପପତି ମାନଙ୍କ ଅଭିଭାଷଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବଡ ବଡ ଶିଳ୍ପସଂସ୍ଥାର ସିଇଓ ମାନଙ୍କ ରାଉଣ୍ଡ ଟେବୁଲ, ଓଡିଆ ଉଦ୍ୟୋଗୀ ମାନଙ୍କ ସ୍ୱତନ୍ତ୍ର ସେସନ୍ ଏବଂ ମହିଳା ବିଜନେସ୍ ଲିଡର୍ସ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ ।  ଏହା ସହିତ ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡିଆ ମହିଳା ଉଦ୍ୟୋଗୀ ମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ । ଜାନୁଆରୀ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିଆଲ୍ ଏକଜିବିସନ୍ ଅନୁଷ୍ଠିତ ହେବ । 

ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।

You Can Read:

କଟକରେ ଅଲ୍ ଇଣ୍ଡିଆ ଜଜେସ୍ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍ ଟୁର୍ଣ୍ଣାମେଣ୍ଟ, ଦେଶର ବିଭିନ୍ନ ହାଇକୋର୍ଟର ୨୦ ବିଚାରପତି ସାମିଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.