ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ

Published By : Prameya-News7 Bureau | January 09, 2025 IST

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗୁରୁବାର ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ବାୟୁ ସେନାର ସ୍ୱତନ୍ତ୍ର ବିମାନ ଅବତରଣ କରିବା ପରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ସମାରୋହର ଅନ୍ତିମ ଦିନର ଯୋଗ ଦେବେ ରାଷ୍ଟ୍ରପତି ।

ଜାନୁଆରୀ ୧୦ରେ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦ୍‌ଯାପନୀ ଉତ୍ସବରେ ପ୍ରବାସୀ ଭାରତୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ । ଉଦ୍‌ଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୭ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିବେ । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ରାଷ୍ଟ୍ରପତି ପ୍ରାୟ ୫ ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବେ ।

ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ଓଡ଼ିଶା କଳା ଓ ସଂସ୍କୃତିରେ ପରିପୂର୍ଣ୍ଣ । ଖଣ୍ଡଗିରି, ଉଦୟଗିରି, କୋଣାର୍କକୁ ଦେଖିଲେ ଗର୍ବ ଅନୁଭବ ହୁଏ । କାହିଁ କେତେ ବର୍ଷ ପୂର୍ବରୁ ଓଡ଼ିଶାର ବେପାରୀମାନେ ବାଲି, ସୁମତ୍ରା, ଜାଭା ଯାତ୍ରା କରୁଥିଲେ । ତାହାର ସ୍ମୃତିରେ ବାଲିଯାତ୍ରା ଆୟୋଜନ କରାଯାଉଛି । ଦୁନିଆରେ ଯେତେବେଳେ ଅସ୍ତ୍ର ବଳରେ ସାମ୍ରାଜ୍ୟ ବଢ଼ାଇବାକୁ ଜୋର ଧରିଥିଲା, ସେତେବେଳେ ସମ୍ରାଟ ଅଶୋକ ଓଡ଼ିଶାରେ ଶାନ୍ତିର ରାସ୍ତା ବାଛିଥିଲେ । ସେଥିପାଇଁ ଆଜି ଭାରତ କହୁଛି, ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ଅଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.