ରାଜଭବନରେ ରାଷ୍ଟ୍ରପତି,ବୁଧବାର ପୁରୀ ଗସ୍ତ, ନୌସେନା ଦିବସରେ ହେବେ ସାମିଲ

Published By : Prameya-News7 Bureau | December 03, 2024 IST

ଭୁବନେଶ୍ବର ୩/୧୨: ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରୁ କଡା ସୁରକ୍ଷା ମଧ୍ୟରେ ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାର ଯାଇଥିଲେ । ସେଠାରେ ତାଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ,ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । 

ନୀଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ରାଷ୍ଟ୍ରପତି । ପରେ ପାଖରେ ଥିବା ଏକ ପାର୍କ ବୁଲି ଦେଖିଥିଲେ । ଆଉ କିଛି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ କଥା ହୋଇଥିଲେ । ସେଠାରୁ ସିଧା ରାଜଭବନ ଫେରିଆସିଛନ୍ତି ରାଷ୍ଟ୍ରପତି । ରାତିରେ ରାଜଭବନରେ ରାତ୍ରିଯାପନ କରିବେ । 


୪ ତାରିଖ ବୁଧବାର ପୁରୀ ବାହାରିବାର କାର୍ଯ୍ୟକ୍ରମ ରହିଛି । ସକାଳ ୯ଟା ୪୫ରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଅପରାହ୍ନ ୩ଟା ୫୫ ମିନିଟରେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଆୟୋଜିତ  ନୌସେନା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ସାମିଲ ହେବେ । ୫ରେ OUAT ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଭୁବନେଶ୍ବର ନୂଆ କୋର୍ଟ କଂପ୍ଲେକ୍ସର ଲୋକାର୍ପଣ କରିବେ । ଶୁକ୍ରବାର ମୟୁରଭଞ୍ଜର ଉପରବେଡା ଗାଁକୁ ଯିବେ ।ପୈତୃକ ଘରେ ପହଞ୍ଚି ଗାଁ ଲୋକଙ୍କୁ ଭେଟିବେ ।  ଶନିବାର ସଂଧ୍ୟାରେ ବାଙ୍ଗିରିପୋଷିରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।  

 


 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.