ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ବଡ଼ଦେଉଳରେ ୧ ଘଣ୍ଟା ଧରି କଲେ ପୂଜାର୍ଚ୍ଚନା

Published By : Prameya-News7 Bureau | December 04, 2024 IST

ପୁରୀ ୦୪।୧୨ :  ପୁରୀରେ ରାଷ୍ଟ୍ରପତି । ବୁଧବାର ଦିନ ସକାଳ ସମୟରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବଡ଼ଦେଉଳ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ନୌସେନାରେ ବରିଷ୍ଠ ଅଧିକାରୀ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଏବଂ ଏସ୍‌ପି ଉପସ୍ଥିତ ଥିଲେ । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସକାଳ ଭୁବନେଶ୍ୱରରୁ ବାହାରି ପ୍ରାୟ ୧୦ରେ ପୁରୀ ସମଙ୍ଗ ହେଲିପ୍ୟାଡ୍‌ରେ ପହଞ୍ଚି ଥିଲେ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟପାଳ, ନୌସେନାର ବରିଷ୍ଠ ଅଧିକାରୀ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଓ ଏସ୍‌ପି ସ୍ୱାଗତ କରିଥିଲେ । ପରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନିଆଯାଇଥିଲା । ସିଂହଦ୍ୱାରଠାରେ ଗଜପତି ଦିବ୍ୟସିଂହଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡ଼ ଦାଣ୍ଡରୁ ଚାଲି ଚାଲି ଶ୍ରୀମନ୍ଦିର ଯାଇଥିଲେ । ବଡ଼ଦେଉଳକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କୁ ଗର୍ଭଗୃହରେ ଦର୍ଶନ କରିଥିଲେ । ସେଠାରେ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧୂପଦୀପ ଦେଇ ଆଳତି କରିଥିଲେ । ସେଠାରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.