ଫେବ୍ରୁଆରୀରେ ଶସ୍ତା ହେଲା ଭେଜ୍ ଥାଳି ମୂଲ୍ୟ, ହେଲେ ବାର୍ଷିକ ଆଧାରରେ ୬% ବଢ଼ିଲା ଆମିଷ ଥାଳି ଦାମ୍

Published By : Prameya-News7 Bureau | March 10, 2025 IST

ନୂଆଦିଲ୍ଲୀ: ଫେବ୍ରୁଆରୀରେ ୧% ଶସ୍ତା ହେଲା ଭେଜ୍ ଥାଳି। କ୍ୟାପିଟାଲ ମାର୍କେଟ କମ୍ପାନି କ୍ରିସିଲ୍‌ର ରିପୋର୍ଟ ଅନୁଯାୟୀ, ଫେବ୍ରୁଆରୀରେ ଘରୋଇ ଭେଜ୍ ଥାଳି ଗତ ବର୍ଷ ଫେବ୍ରୁଆରୀ ତୁଳନାରେ ୧ ପ୍ରତିଶତ ହ୍ରାସ ହୋଇଛି। ଅର୍ଥାତ୍‌ ଗତ ବର୍ଷ ଫେବ୍ରୁଆରୀରେ ଭେଜ୍ ଥାଳି ୨୭.୫ ଟଙ୍କା ଥିଲା ଯାହା ଏବେ ୨୭.୨ ଟଙ୍କା ହୋଇଛି। ସେହିଭଳି ମାସିକ ଆଧାରରେ ଦେଖିଲେ ୨୦୨୫ ଜାନୁଆରୀ ତୁଳନାରେ ଫେବ୍ରୁଆରୀରେ ଘରୋଇ ଭେଜ୍ ଥାଳିରେ ୫% ହ୍ରାସ ଦେଖିବାକୁ ମିଳିଛି। ୨୦୨୫ ଜାନୁଆରୀରେ ଭେଜ୍ ଥାଳି ମୂଲ୍ୟ ୨୮.୭ ଟଙ୍କା ଥିଲା।  

ସେହିଭଳି ଫେବ୍ରୁଆରୀରେ ନନ୍‌ଭେଜ୍‌ ଥାଳି ଦାମ୍‌ରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ରିପୋର୍ଟରେ କୁହାଯାଇଛି, ନନଭେଜ୍ ଥାଳି ଗତ ବର୍ଷ ଫେବ୍ରୁଆରୀ ତୁଳନାରେ ୨୦୨୫ ଫେବ୍ରୁଆରୀରେ ୬% ବଢ଼ି ୫୭.୪ ଟଙ୍କା ହୋଇଛି। ଗତ ବର୍ଷ ଫେବ୍ରୁଆରୀରେ ନନ୍‌ ଭେଜ୍ ଥାଳି ୫୪ ଟଙ୍କା ଥିଲା। ଅବଶ୍ୟ ମାସିକ ଆଧାରରେ ଦେଖିଲେ ୨୦୨୫ ଜାନୁଆରୀ ତୁଳନାରେ ଫେବ୍ରୁଆରୀରେ ନନଭେଜ ଥାଳି ଦାମ୍‌ ୫% ଖସିଛି। ଜାନୁଆରୀରେ ନନ୍‌ଭେଜ୍‌ ଥାଳି ୬୦.୬ ଟଙ୍କା ରହିଥିଲା। 

ରିପୋର୍ଟ ଅନୁଯାୟୀ, ଭେଜ୍‌ ଥାଳି ଦାମ୍‌ରେ ହ୍ରାସର ମୁଖ୍ୟ କାରଣ ଟମାଟୋ ଏଲପିଜି ଦରରେ କମ୍ କାରଣରୁ ହୋଇଛି। ଅବଶ୍ୟ ବାଦ୍‌ ଆଳୁ, ଖାଇବା ତେଲ, ପିଆଜର ଦାମ୍‌ରେ ବୃଦ୍ଧି କାରଣରୁ ସେତେଟା କମିନାହିଁ। ଯାହା ଶାକାହାରୀ ଭୋଜନର ଖର୍ଚ୍ଚରେ ହ୍ରାସରେ ବାଧକ ସାଜିଛି। 

ସେହିଭଳି ମାଂସାହାରୀ ଥାଳି ଦାମ୍‌ରେ ବୃଦ୍ଧିର କାରଣ ବ୍ରଏଲର ଚିକେନ୍‌ର ଦାମ୍‌ ବଢ଼ିବା ବଡ଼ କାରଣ । ଅବଶ୍ୟ ଏହା ସାମାନ୍ୟ। କୁହାଯାଇଛି, ବ୍ରଏଲର ଚିକେନର ଦାମ୍‌ରେ ବାର୍ଷିକ ଆଧାରରେ ୧୫ ପ୍ରତିଶତ ବୃଦ୍ଧି କାରଣରୁ ମାଂସାହାରୀ ଥାଳି ଅଧିକ ମହଙ୍ଗା ହୋଇଛି। ମାଂସାହାରୀ ଥାଳି ଖର୍ଚ୍ଚରେ ବ୍ରଏଲରର ଅଂଶ ପ୍ରାୟ ୫୦ ପ୍ରତିଶତ ରହିଥାଏ। ବ୍ରଏଲର ଚିକେନର ଖାଦ୍ୟ ଦାମ୍‌ରେ ବୃଦ୍ଧି, ମକା ଦାମ୍ ବାର୍ଷିକ ଆଧାରରେ ୬% ବୃଦ୍ଧି ହୋଇଥିଲା, ଯେଉଁ କାରଣରୁ ଖର୍ଚ୍ଚ ଆହୁରି ବଢ଼ିଥିଲା। ଅବଶ୍ୟ ବଜାରରେ ପିଆଜ, ଆଳୁ ଏବଂ ଟମାଟୋ ଦାମ୍ କ୍ରମଶଃ ହ୍ରାସ ଦେଖିବାକୁ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.