ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୬ରେ ରାୟଗଡା ରେଳ ମଣ୍ଡଳ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହାସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନୂତନ ଜାମ୍ମୁ ରେଳ ରେଳ ମଣ୍ଡଳ ଏବଂ ଚର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନକୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଓଡିଶାର ରାୟଗଡା ରେଳ ମଣ୍ଡଳ ପାଇଁ ମଧ୍ୟ ଶିଳାନ୍ୟାସ କରିବେ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାମ୍ମୁ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ।
ରାୟାଗଡା ରେଳ ମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦୭ କୋଟି ଟଙ୍କା । ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପରେ ସ୍ଥାନୀୟ ଅଞ୍ଚଳର ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଅନେକ ପ୍ରମୁଖ ଉପାଦାନ ଅନ୍ତର୍ଭୂକ୍ତ ହେବ । ଡିଭିଜନର ମୁଖ୍ୟାଳୟ ରାୟାଗଡା ଠାରେ ରହିବ । ଏକ ଆଧୁନିକ ମଣ୍ଡଳ ରେଳବାଇ କାର୍ଯ୍ୟାଳୟ ଭବନ ପ୍ରାୟ ୧୨,୦୦୦ ବର୍ଗମିଟର କ୍ଷେତ୍ରରେ ନିର୍ମାଣ ହେବ ଯାହାକି ଗ୍ରାଉଣ୍ଡ ଫ୍ଲୋର ସହିତ ଆଉ ଦୁଇଟି ଫ୍ଲୋର ରହିବ । ଏହାଦ୍ୱାରା ଦକ୍ଷିଣ ଓଡିଶାବାସୀଙ୍କ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ପ୍ରକଳ୍ପ ସହାୟକ ହେବ ।