ଭୁବନେଶ୍ୱର, ୧୧/୧୦: ପାର୍ବଣରେ ସରଗରମ ହେବ ରାଜନୀତି । ପୂଜାରେ ରାଜନୀତି ମଇଦାନ ଜମିବ । କାରଣ ଆଜି ଠାରୁ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା’ ଜଗତଜନନୀଙ୍କ ଆଶୀର୍ବାଦ ନେବା ସହିତ ଲୋକଙ୍କୁ ଭେଟିବେ । କେବଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୁହେଁ, ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ଗାପୂଜା ପୂଜା ମଣ୍ଡପ ବୁଲିବେ । ଏହାକୁ ନେଇ ବିଜେପି ଓ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଶାରଦୀୟ ଅଭିନନ୍ଦନ ଓ ସ୍ୱାଗତମ ହୋର୍ଡିଂ ଯୁଦ୍ଧ ଆରମ୍ଭ ହୋଇଯାଇଛି ବିଭିନ୍ନ ସହର ଓ ବିଭିନ୍ନ ପୂଜା ମଣ୍ଡପରେ । ସୂତ୍ରରୁ ଜଣାପଡ଼ିଛି, ପବିତ୍ର ମହାଷ୍ଟମୀରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଗାପୂଜା ମଣ୍ଡପ ବୁଲିବା ଆରମ୍ଭ କରିବେ । ୧୧ ତାରିଖରେ ଭୁବନେଶ୍ୱର, ୧୨ରେ କଟକ, ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ କେନ୍ଦୁଝରରେ ଦୁର୍ଗାପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ।
Durga Puja 2024: Get all updated News, Videos and Photos of Durga Puja
୧୧ ତାରିଖ ଅର୍ଥାତ୍ ଆଜି ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ୱର ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ଆରମ୍ଭ ହେବ । ପୁରୁଣା ଭୁବନେଶ୍ୱରର ପାଟଣା ସାହି, ସୁନ୍ଦରପଦା, ବରମୁଣ୍ଡା, ନୂଆପଲ୍ଲୀ, ରସୁଲଗଡ଼, ସହିଦନଗର, ବମିଖାଲ, ଲକ୍ଷ୍ମୀସାଗର, ଷ୍ଟେସନ ଛକ ପୂଜା ମଣ୍ଡପ ବୁଲିବେ ବୋଲି ଜଣାପଡ଼ିଛି । ତାଙ୍କ ସହ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବୁଲିବାର କାର୍ଯ୍ୟକ୍ରମ ରହିଛି । ୧୨ ତାରିଖ ସକାଳ ସାଢ଼େ ୯ଟାରୁ ମୁଖ୍ୟମନ୍ତ୍ରୀ କଟକ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବେ ।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୧୧ ତାରିଖ ମହାଷ୍ଟମୀରେ ସକାଳ ସାଢ଼େ ୧୦ଟାରୁ ନବୀନ ନିବାସରୁ ବାହାରିବେ । ପ୍ରଥମେ ରସୁଲଗଡ଼ ପୂଜା ମଣ୍ଡପ ତା’ପରେ ସହିଦନଗର, ବଡ଼ଗଡ଼ ପୂଜା ମଣ୍ଡପ ଯାଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବେ । ପରବର୍ତ୍ତୀ ଦିନମାନଙ୍କରେ ସେ ଉତ୍ତର ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ବିଭିନ୍ନ ମନ୍ତ୍ରୀମାନେ ମଧ୍ୟ ଏଥର ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦଶହରା ପୂଜା ମଣ୍ଡପ ବୁଲିବାକୁ ନେଇ ରାଜନୀତି ବଢ଼ିଛି । ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀ ସାଧାରଣ ପରିବାରରୁ ଆସିଛନ୍ତି । ସବୁବେଳେ ଲୋକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି । ପୂଜା ମଣ୍ଡପ ବୁଲି ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିବେ । ପୂଜା, ପାର୍ବଣରେ ରାଜନୀତିର ପ୍ରଶ୍ନ ନାହିଁ । ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ସାମାଜିକ ଓ ଧାର୍ମିକ ଭାବନାରେ ନବୀନ ପୂଜା ମଣ୍ଡପ ବୁଲିବେ । ଏଥିରେ ରାଜନୀତି କିଛି ନାହିଁ ।