ପୁରୀରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ, ୭୨୨୬ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

Published By : Prameya-News7 Bureau | October 24, 2024 IST

ପୁରୀ: ବାତ୍ୟା ଦାନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। ପ୍ରଶାସନ ତରଫରୁ ସତର୍କତାମୂଳକ ଭାବରେ ବର୍ତ୍ତମାନ ସୁଦ୍ଧା ୭୨୨୬ରୁ ଅଧିକ ଲୋକଙ୍କୁ ୧୬୨ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଗଲାଣି। ଏନେଇ ଗୁରୁବାର ଅପରାହ୍ନରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଏହା ସହ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ସ୍ଥାନାନ୍ତର କରାଯାଇଥିବା ସମସ୍ତଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ୧୬୨ ସ୍ଥାନରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଆଶ୍ରୟ ନେଇଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଭାବେ ୧୫.୫ କ୍ୟୁଣ୍ଟାଲ ଚୁଡା ଓ ୧.୬ କ୍ୟୁଣ୍ଟାଲ ଗୁଡ଼ ବଣ୍ଟନ ହୋଇଛି। 

ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ଵ ଦିଆଯାଇଛି । ସେମାନେ ସେଠାରେ ଉଦ୍ଧାର ଥଇଥାନ ଓ ରିଲିଫ କାର୍ଯ୍ୟର ତଦାରଖ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାତ୍ୟାର ସଫଳ ମୁକାବିଲା ପାଇଁ ସମୀକ୍ଷା କରିବା ସହ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳ ଗସ୍ତ କରି ଅଧିକାରୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ଦେଇଛନ୍ତି। ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଅଧିକାରୀ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି କାର୍ଯ୍ୟରେ ସହଯୋଗ ଓ ପରାମର୍ଶ ଦେଉଛନ୍ତି। ଗର୍ଭବତୀ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। 

ଜିଲ୍ଲାରେ ୧୪ଟି ମେଡିକାଲ ଟିମ୍‌, ୧୬ଟି ପ୍ରାଣୀ ଚିକିତ୍ସା ଟିମ୍‌, ଔଷଧ, ଆଣ୍ଟି ଭେନମ ମେଡିସିନ ସହ ପ୍ରସ୍ତୁତ ଅଛନ୍ତି। ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର କୂଳକୁ ନଯିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ସ୍ବାଇ ଓ ଏସପି ବିନୀତ ଅଗ୍ରୱାଲ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.